ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ମାଓବାଦୀମାନେ ଗୋଟାଏ ପରେ ଗୋଟାଏ ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି। ଆଜି ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ (୩୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗ ରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଛି ବୋଲି ଘଟଣାସ୍ଥଳରେ ପଡ଼ିଥିବା ପୋଷ୍ଟରଗୁଡ଼ିକରେ ଉଲ୍ଲେଖ କରାଯାଇଛି। ଜଙ୍ଗଲ ମାଫିଆ ଅଭିଯୋଗ କରି ନାରାୟଣ ନାଗେଶଙ୍କୁ ହତ୍ୟା କରାଯାଇଛି ବୋଲି ମୈନପୁର -ନୂଆପଡ଼ା ଡିଭିଜନାଲ୍ କମିଟି (ମାଓବାଦୀ) ପକ୍ଷରୁ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ପୁଣି ସ୍ଥାନୀୟ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି।
ସୂଚନାଯୋଗ୍ୟ, ଗତ ମାସ ୨୩ ତାରିଖ ଦିନ ମାଓବାଦୀମାନେ ହାତୀଗାଁ ଅନ୍ତର୍ଗତ ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକ (୩୫)ଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିବା ସହିତ ଏହାର ୧୦ ଦିନ ପୂର୍ବେ ସୀମାନ୍ତ ଚାମେନ୍ଦା (ଛତିଶଗଡ଼) ଗ୍ରାମର ନାରଦ ମାର୍କମ (୪୫)ଙ୍କୁ ମଧ୍ୟ ହତ୍ୟା କରିଥିଲେ।
Powered by Froala Editor