ବନାଗ୍ନିକୁ ପ୍ରଶମନ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ, ଖଳ ପ୍ରକୃତିର ଲୋକଙ୍କ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ବନାଗ୍ନିକୁ ପ୍ରଶମନ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ, ଏସ୍ପି, ଡି.ଏଫ୍.ଓ,ଅଗ୍ନିଶମ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।ବନାଗ୍ନିରେ ସଂପୃକ୍ତ ଖଳ ପ୍ରକୃତିର ଲୋକଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏପର୍ୟ୍ୟନ୍ତ ୨୩ ହଜାର ୮୬୦ଟି ସ୍ଥାନରେ ବନାଗ୍ନି ସଂପର୍କରେ ତଥ୍ୟ ଥିବାବେଳେ ସେଥିମଧ୍ୟରୁ ୯୮ ପ୍ରତିଶତ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।
ବନାଗ୍ନି ରୋକିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ସହ ଆବଶ୍ୟକ ସ୍ଥଳେ ଓଡ୍ରାଫ ଟିମକୁ ମୁତୟନ କରାଯିବ । ଆଗକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯାରିରହିବା ଆଶଙ୍କା ଥିବାରୁ ବନାଗ୍ନି ବ୍ୟାପିବା ସମ୍ଭାବିତ ସ୍ଥାନ ଗୁଡ଼ିକରେ ଆଗୁଆ ଓଡ୍ରାଫ ଟିମ୍ ମୁତୟନ ନିମନ୍ତେ ମୁଖ୍ୟ ଶାସନ ସଚିବ ଓସ୍ଡମାକୁ ନିର୍ଦ୍ଦେଶ ଦେଇଛନ୍ତି । ବନାଗ୍ନି ପ୍ରଶମନ କ୍ଷେତ୍ରରେ ଆଗୁଆ ସୂଚନା ଦେବା, ସହଯୋଗ କରୁଥିବା ସ୍ଥାନୀୟ ସଂସ୍ଥା ତଥା ବ୍ୟକ୍ତି ବିଶେଷ ଏବଂ ସଂପୃକ୍ତ ପଂଚାୟତକୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବ । ଅନେକ ସ୍ଥାନରେ ମନୁଷ୍ୟକୃତ ଭାବେ ବନାଗ୍ନି ହେଉଥିବା ଦୃଷ୍ଟିରୁ ଗୋଷ୍ଠୀ ସହଭାଗିତାରେ ଏହାକୁ ରୋକିବା ନିମନ୍ତେ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।
ଏତଦବ୍ୟତୀତ ବ୍ୟାପକ ସଚେତନତା ଏବଂ ସ୍ଥାନୀୟ ଗୋଷ୍ଠୀ ସହଭାଗିତାର ଉତ୍ତର ଦାୟିତ୍ୱ ବୃଦ୍ଧି ପାଇଲେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିବ । ଏଥି ସହ ଜିଲ୍ଲାର ବିଭିନ୍ନ ବନଖଣ୍ଡ ଉପରେ ତୀକ୍ଷଣ ନଜର ରଖିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଏବଂ ଡି.ଏଫ୍.ଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ସ୍ଥାନୀୟ ତହସିଲଦାର, ବିଡିଓ, ଥାନା ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀଙ୍କ ତଥ୍ୟକୁ ଭିତ୍ତିକରି ସରକରଙ୍କୁ ବନାଗ୍ନି ସଂପର୍କିତ ଦୈନିକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବୈଷୟିକ ଜ୍ଞାନକୌଶଳ ଉପଯୋଗ ତଥା ଉପଗ୍ରହ ଉତ୍ତୋଳିତ ଛବି ମାଧ୍ୟମରେ ବନାଗ୍ନି ସ୍ଥାନ ଚିହ୍ନଟ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ, ପି.ସି.ସି.ଏଫ୍. ଦେବୀଦତ୍ତ ବିଶ୍ୱାଳ, ଓରସାକ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor