ବାତ୍ୟା ସମ୍ପର୍କରେ ଏହା କହିଲେ ଏସଆରସି

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଥିଲା । ତେବେ ଉକ୍ତ ଲଘୁଚାପ ଆଜି ୱେଲମାର୍କଡରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ୱେଲମାର୍କଡ ଲୋ ପ୍ରେସର ଅବପାତ ରୂପ ନେବ । ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ସାମୁଦ୍ରିକ ଝଡ଼ ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ବାତ୍ୟା ‘ୟଶ’କୁ ନେଇ ଏବେ ସମସ୍ତେ ତପôର । ଏହାରି ଭିତରେ ବାତ୍ୟା ମୁକାବିଲା ପ୍ରସ୍ତୁତି ତଦାରଖ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବାଲେଶ୍ୱର ଗସ୍ତ କରି ବାତ୍ୟା ପୂର୍ବରୁ ପ୍ରସ୍ତୁତି ନେଇ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ଆଲୋଚନା ପରେ ସେ କହିଛନ୍ତି ଯେ, କଚ୍ଚା ଓ ଆଜବେଷ୍ଟସ ଘରେ ଥିବା ଲୋକଙ୍କୁ ସେଲଟର ହୋମକୁ ନିଆଯିବ । ଏପରିକି ଯଦି କୋଠାଘରେ ପାଣି ପଶିବାକୁ ଥାଏ ତାହେଲେ ବି ସ୍ଥାନାନ୍ତର କରାଯିବ । ବାତ୍ୟା ହେଲେ ପ୍ରଭାବ ରହିବ । ତଥାପି କ୍ଷୟକ୍ଷତି କମ ପାଇଁ ଚେଷ୍ଟା ରହିବ । ସୂଚନା ଦିଆଯିବା ମାତ୍ରେ ଶୀଘ୍ର ସେଲଟର ହୋମକୁ ଚାଲିଆସିବା ପାଇଁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଶୀଘ୍ର ଆସିଲେ କୋଭିଡ ଟେଷ୍ଟ ହେବ । ଦରକାର ପଡ଼ିଥିଲେ କୋଭିଡ କେୟାର ସେଣ୍ଟରକୁ ପଠାଯିବ । ବାତ୍ୟା ବେଳେ ବୟସ୍କ ଲୋକେ ଘରୁ ନବାହାରିବାକୁ ବି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଯୁବ ପିଢି ପବନ ବହିବା ବେଳେ ବାଇକରେ ଏଣେତେଣେ ବୁଲନ୍ତୁ ନାହିଁ । ଆମ୍ବ, ନଡ଼ିଆ ଗୋଟାଇବା ପାଇଁ ବାହାରକୁ ବାହାରିବେ ନାହିଁ । ଆଶ୍ରୟସ୍ଥଳକୁ ଯାଇନଥିଲେ ପିଇବା ପାଣି ଆଗୁଆ ମହଜୁଦ ରଖିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି ।
Powered by Froala Editor