ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା : ଅନୁମତି ଦିଆଯାଇପାରିବ ନାହିଁ କହିଲା କମିଶନରେଟ ପୁଲିସ
ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର । ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ଦେଢଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ । ଆଜି ଆନ୍ଦୋଳନ ଡାକରା ଦିଆଯାଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱର ଆସୁଛନ୍ତି । ତିନି ଦଫା ଦାବି ନେଇ ଏହି ଦେଢଲକ୍ଷ ପ୍ରାଥମିକ ଶିକ୍ଷକ ରାଲି ଓ ଧାରଣାକୁ ଓହ୍ଲାଇବେ । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଏଭଳି ଆନ୍ଦୋଳନ ଡାକରା ଦେଇଛି ।ହେଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନକୁ ଅନୁମତି ଦେଇନାହିଁ କମିଶନରେଟ୍ ପୋଲିସ । ଲୋୟର ପିଏମଜିରେ ଧାରଣା ଦେଇପାରିବେ ନାହିଁ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।
କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ପ୍ରାଥମିକ ଶିକ୍ଷକ ସଂଘ ନଭେମ୍ବର ୨୭ରେ ୨୫୦୦ ଶିକ୍ଷକ ଧାରଣାରେ ସାମିଲ ହେବେ ବୋଲି କହିଥିଲେ । କିନ୍ତୁ ୪୦ ହଜାରରୁ ଅଧିକ ଶିକ୍ଷକ ଆସିଥିଲେ । ଏହାଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଯାତ୍ରୀ ଦୁର୍ଦ୍ଦଶା ଭୋଗିଥିଲେ । ମାଷ୍ଟର କ୍ୟାଣ୍ଟିନ ଓ ରେଳ ଷ୍ଟେସନର ଆଖାପାଖ ଅଞ୍ଚଳର ସମସ୍ତ ରାସ୍ତା ବ୍ଲକ ହୋଇଯାଇଥିଲା । ଏହାଛଡା ବର୍ତମାନ ମାଟ୍ରିକ ପରୀକ୍ଷା ଚାଲିଛି ଓ ଧାରଣା ଦ୍ୱାରା ଛାତ୍ରଛାତ୍ରୀ ଅସୁବିଧା ଭୋଗିପାରନ୍ତି । ତେଣୁ ଧାରଣାରୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କମିଶନରେଟ ପୁଲିସ କହିଛି । ଆଉ ଏନେଇ ପ୍ରାଥମିକ ଶିକ୍ଷକ ମହାସଂଘ ସଭାପତି ମଣ୍ଡଳୀ ସଦସ୍ୟ ବ୍ରହ୍ମାନନ୍ଦ ମହାରଣା ପ୍ରତିକ୍ରିୟା ରଖିଛନ୍ତି । ଏଭଳି ନିଷ୍ପତ୍ତିକୁ ସଂଘ ନିନ୍ଦା କରିଛି ।
ଡିସିପିଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଚାଲିଥିବାରୁ ସମସ୍ୟା ଉପୁଜିପାରେ । ତାହାକୁ ଦୃଷ୍ଟିରେ ରଖି ଧାରଣା ଲାଗି ଅନୁମତି ଦିଆଯାଇପାରିବ ନାହିଁ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏବେ ମାଟ୍ରିକ୍ ପରୀକ୍ଷା ଚାଲିଛି । ବୁଧବାର କୌଣସି ପରୀକ୍ଷା ନ ଥିବା ବେଳେ ୧୬ ତାରିଖରେ ବିଜ୍ଞାନ, ୧୮ରେ ସାମାଜିକ ବିଜ୍ଞାନ, ୨୦ରେ ଗଣିତ ବିଷୟର ପରୀକ୍ଷା ରହିଛି । ଉକ୍ତ ପରୀକ୍ଷା ପରିଚାଳନାରେ ପ୍ରାଥମିକ ବିଦ୍ୟାଳୟର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି । ଏଥିସହ ମାର୍ଚ୍ଚ ୨୧ରୁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ସମୟରେ ଯଦି ଦେଢ଼ ଲକ୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ତେବେ ସମସ୍ୟା ଉପୁଜିପାରେ ।
Powered by Froala Editor