୫୪ ଆଇନଜୀବୀଙ୍କ ଉପରୁ ଉଠିଲା ନିଲମ୍ବନ
ସମ୍ବଲପୁର : ସମ୍ବଲପୁରର ୫୪ ଆଇନଜୀବୀଙ୍କ ଉପରୁ ନିଲମ୍ବନ ହଟାଇଛି ଭାରତୀୟ ଆଇନଜୀବୀ ପରିଷଦ । ତିନି ମାସ କାଳ ନିଲମ୍ବନ ଦଣ୍ଡ ଭୋଗିବା ପରେ ଭାରତୀୟ ଆଇନଜୀବୀ ପରିଷଦ ବା ବିସିଆଇ ସର୍ତମୂଳକ ଭାବେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି । ଆଉ ସର୍ତ ହେଉଛି ଭବିଷ୍ୟତରେ କୌଣସି ଗଣ୍ଡଗୋଳରେ ଆଇନଜୀବୀମାନେ ସାମିଲ ହେବେ ନାହିଁ । ଏନେଇ ୧୦ ଦିନ ଭିତରେ ବିସିଆଇ ସଂପାଦକଙ୍କୁ ଇମେଲ ଜରିଆରେ ୫୪ ଜଣ ଆଇନଜୀବୀ ଅଣ୍ଡରଟେକିଂ ଲେଖିକି ଦେବେ । ଏହା ଛଡା ଆଇନଜୀବୀଙ୍କ ଚାଲିଚଳଣ ଓ କାର୍ୟ୍ୟକଳାପ ଉପରେ ନଜର ରଖିବାକୁ ଜିଲ୍ଲା ଜଜଙ୍କୁ ଅନୁରୋଧ କରାଯାଇଛି ।
ଯଦି ପରିଷଦ ନିକଟରେ କୌଣସି ପ୍ରତିକୂଳ ରିପୋର୍ଟ ଆସିଲେ କଡା ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନଜୀବୀଙ୍କୁ ଚେତାଇ ଦିଆଯାଇଛି । ବିସିଆଇ ପକ୍ଷରୁ ନିଯୁକ୍ତ ୩ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । କମିଟି ବିଭିନ୍ନ ପକ୍ଷର ମତାମତ ନେଇ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ ସୁପାରିଶ କରିଥିଲା । ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଘଟିଥିବା ଅପ୍ରତ୍ୟାଶିତ ଘଟଣାକୁ ନେଇ ସମ୍ବଲପୁରର ୫୪ ଆଇନଜୀବୀଙ୍କୁ ନିଲମ୍ବନ କରିଥିଲା ବିସିଆଇ ।
Powered by Froala Editor