ମିଶନ ଶକ୍ତି ମହିଳାଙ୍କୁ ମିଳିବ ମାର୍କେଟିଂ ସୁବିଧା, ପ୍ରତ୍ୟେକ ପଞ୍ଚାୟତରେ ହେବ ମାର୍କେଟ ବିଲ୍ଡିଂ
ମହିଳା ନୁହଁନ୍ତି ଦୁର୍ବଳା । ଏହାର ଉଦାହରଣ ହେଉଛି ଏସ୍ଏଚ୍ଜି । ଏହି ସଂଗଠନ ମାଧ୍ୟମରେ ଆଜି ମଫସଲର ମହିଳା ସଶକ୍ତ ହୋଇପାରିଛନ୍ତି । ଏବେ ସେମାନଙ୍କୁ ଆହୁରି ମଜବୁତ କରିବାକୁ ସରକାର ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ ବିଲଡିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏସ୍ଏଚ୍ଜିଙ୍କୁ ଅଧିକ ପରିମାଣର ଋଣ ସହାୟତା ଦେବା ପାଇଁ ସବୁ ବ୍ୟାଙ୍କକୁ ପତ୍ର ଲେଖିଛି ରାଜ୍ୟ ଅର୍ଥ ବିଭାଗ।
ସୂଚନା ଅନୁସାରେ ରାଜ୍ୟର ୩ ଲକ୍ଷ ଏସ୍ଏଚ୍ଜିଙ୍କୁ ଇତିମଧ୍ୟରେ ୮ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଇଛି। ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଞ୍ଜୁର କରାଯାଉଛି। ସେହିପରି ଆଗାମୀ ୫ ବର୍ଷ ଭିତରେ ୫୦ ହଜାର କୋଟି ଟଙ୍କାର ଋଣ ସହାୟତା ଦିଆଯିବ। ଋଣ ଫେରସ୍ତ ବାବଦରେ ୧୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମହିଳା ଏସ୍ଏଚ୍ଜିଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଉ ଏକ ପାଦ ଆଗକୁ ନେଇ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ମାର୍କେଟ୍ ବିଲ୍ଡିଂ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏ ନେଇ ମିଶନ୍ଶକ୍ତି ବିଭାଗକୁ ସୁପାରିସ କରାଯାଇଛି। ମିଶନ୍ ଶକ୍ତି ମହିଳାଙ୍କ ଉତ୍ପାଦ ବିକ୍ରି ପାଇଁ ୫୦୦ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲାଯିବ। ଏଥିସହ ଭୁବନେଶ୍ୱରରେ ଏକ ମିଶନ୍ ଶକ୍ତି ବୁଟିକ୍ ଖୋଲାଯିବ। ଏବେ ସୁଦ୍ଧା ରାଜ୍ୟର ୩୦୦ ଏସ୍ଏଚ୍ଜି ସେମାନଙ୍କ ଉତ୍ପାଦର ଅନଲାଇନ୍ ମାର୍କେଟିଂ ପାଇଁ ଫ୍ଲିପ୍କାର୍ଟ ସହିତ ଅନୁବନ୍ଧିତ ହୋଇଛନ୍ତି।
ମିଶନଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ମିଶନ୍ ଶକ୍ତି ବିଭାଗ ଜରିଆରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ବିଶ୍ୱ ଆଗରେ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ଥାନୀୟ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ଏସ୍ଏଚ୍ଜିଙ୍କ ଉତ୍ପାଦ ବ୍ରିକି ପାଇଁ ଲକ୍ଷ୍ୟ ରହିଛି।
Powered by Froala Editor