ମୋବାଇଲ ଦେଲାନି ବୋଲି ସ୍ୱାମୀକୁ ହାଣିଲା ସ୍ତ୍ରୀ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କେଶରକଲା ଗ୍ରାମରେ ମୋବାଇଲ ଦେଲାନି ବୋଲି ସ୍ୱାମୀକୁ ହାଣି ରକ୍ତାକ୍ତ କଲା ସ୍ତ୍ରୀ । ଗୁରୁତର ଭାବେ ସ୍ୱାମୀଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଇଁତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଗତ ଛଅ ବର୍ଷ ତଳେ ଛତିଶଗଡ଼ ବିଳାସପୁରର ଈଶ୍ୱରୀ କୁମାରୀଙ୍କ ସହ କେଷେରକେଲା ଗାଁର ଗଣେଶ୍ୱର ସୁନାଙ୍କ ବିବାହ ହୋଇଥିଲା । ଉଭୟଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ରହିଛି । ତେବେ ପୂର୍ବରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିବା ମଧ୍ୟ ଜଣାପଡ଼ିଛି । ଗଣେଶ୍ୱର ସୁନାଙ୍କ କହିବାନୁଯାୟୀ, ଗତକାଲି ତାଙ୍କ ସ୍ତ୍ରୀ ତାଙ୍କୁ ମୋବାଇଲ ମାଗିଥିଲେ । ଡାଟା ଶେଷ ହୋଇଯାଇଥିବା କହି ଈଶ୍ୱରୀଙ୍କୁ ମୋବାଇଲ ଦେଇନଥିଲେ ଗଣେଶ୍ୱର । ଫଳରେ ବିଳମ୍ବିତ ରାତିରେ ସ୍ୱାମୀ ଶୋଇଥିବା ଅବସ୍ଥାରେ ପନିକି ସାହାଯ୍ୟରେ ଈଶ୍ୱରୀ ଗଣେଶ୍ୱରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗଣେଶ୍ୱରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେ ପ୍ରତିରୋଧ କରିବାରୁ ପରେ ତାଙ୍କ ହାତକୁ ମଧ୍ୟ ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ଲହୁଲୁହାଣ କରି ଝିଅ ସହ ଫେରାର ଈଶ୍ୱରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଗଣେଶ୍ୱରକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗଣେଶ୍ୱର ହସ୍ପିଟାଲରେ ଥିବାରୁ ଏନେଇ ପୁଇଁତଲା ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ।
Powered by Froala Editor