ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏହି ନିଷ୍ପତ୍ତି, ଲିଜ୍ଧାରୀ ହେବେ ଉପକୃତ
ଭୁବନେଶ୍ୱର : ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ (ଡିଏ) ଏବଂ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଆବାସିକ ପ୍ରକଳ୍ପଗୁଡ଼ିକର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ଅନୁଯାୟୀ ଆବାସିକ ପ୍ରକଳ୍ପରେ ଲିଜ ଆଧାରରେ ପାଇଥିବା ଜମି/ଘରର ମୁକ୍ତ-ମାଲିକାନା ଏଣିକି ଲିଜଧାରୀଙ୍କୁ ପ୍ରଦାନ କରାଯିବ। ଫଳରେ ଲକ୍ଷାଧିକ ଲିଜ୍ଧାରୀ ଉପକୃତ ହେବେ।
ସୂଚନାଯୋଗ୍ୟ, ରାଜ୍ୟରେ ୨୭୯୭.୪୯୨ ଏକର ଜମିରେ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା ଏବଂ ଉନ୍ନୟନ କର୍ତ୍ତୃପକ୍ଷ ୯୯ଟି ପ୍ରକଳ୍ପ ଜରିଆରେ ଲୋକଙ୍କୁ ଘରଡିହ/ଘର ଆବଣ୍ଟନ କରିଛନ୍ତି। ଏପରି ଘରଡିହ/ଘର ମାଲିକାନା ସ୍ବତ୍ତ୍ବପରିବର୍ତ୍ତନ (କନଭର୍ସନ) ପାଇଁ କୌଣସି ଆଇନ ନ ଥିବାରୁ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ଭୋଗିବାକୁ ପଡ଼ୁଥିଲା। ସେମାନେ ଏହି ସବୁ ଜମିର ମାଲିକାନା ପାଇବାକୁ ବାରମ୍ବାର ଦାବି କରିଆସୁଥିଲେ। ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ସେମାନଙ୍କୁ ଆଉ କର୍ତ୍ତୃପକ୍ଷଙ୍କଠାରୁ ବାରମ୍ବାର ଏନଓସି ଆଣିବାକୁ ପଡ଼ିବ ନାହିଁ। ଏହାସହିତ ରାଜ୍ୟ ସରକାର ଡିଏ ଏବଂ ଓଏସ୍ଏଚ୍ବିର ୧୧୦୭.୮୧ କୋଟି ଟଙ୍କାର କନଭର୍ସନ ଦେୟ ଛାଡ଼ କରିଛନ୍ତି।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ହିତାଧିକାରୀମାନଙ୍କୁ ଏ ବାବଦରେ କର୍ତ୍ତୃପକ୍ଷମାନଙ୍କୁ କନଭର୍ସନ ଦେୟ ଦେବାକୁ ପଡ଼ିବ। ଏହାସହିତ ଭବିଷ୍ୟତରେ ଯେଉଁମାନେ ଏଭଳି ପ୍ରକଳ୍ପରେ ଜମି/ଘର କିଣିବେ ସେମାନେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ। ଡିଏ ଏବଂ ଓଏସ୍ଏଚ୍ବିର ଆଗାମୀ ଦିନର ସମସ୍ତ ଆବାସିକ ପ୍ରକଳ୍ପ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି। ଏପରିକି ଏହିଜମିରେ ଘର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଆଉ ଲିଜ୍ ଡିଡ୍ କରିବାକୁ ପଡିବନି। ବିନା ଲିଜ୍ ଡିଡ୍ରେ ବ୍ୟାଙ୍କରୁ ଋଣ ମିଳିବା ସୁବିଧା ମଧ୍ୟ ହିତାଧିକାରୀଙ୍କୁ ମିଳିବ ବୋଲି ଜଣାପଡିଛି। ଏହାସହିତ ଉପରୋକ୍ତ ନିଷ୍ପତ୍ତିର କାର୍ୟ୍ୟକାରିତା ପାଇଁ ରାଜସ୍ବ ବିଭାଗ ଏନେଇ ଆଇନରେ ଆବଶ୍ୟକ ସଂଶୋଧନ କରିବ ବୋଲି କୁହାଯାଇଛି।
Powered by Froala Editor