କୋଟିଆ ପ୍ରସଙ୍ଗ: ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ
ଭୁବନେଶ୍ୱର: ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ନେଇ ରୁଜୁ ମାମଲାରେ ସୁପ୍ରିମ୍କୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ଆଦେଶର ୨୮ ଦିନ ମଧ୍ୟରେ ଆନ୍ଧ୍ର ସରକାର ଏହି ମାମଲା ଉପରେ ସମସ୍ତ ଡକ୍ୟୁମେଣ୍ଟ୍ ସହ ଜବାବ ରଖିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘବର୍ଷ ଧରି ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି । ସମ୍ବିଧାନର ଧାରା ୧୩୧ ଅନୁସାରେ କୋଟିଆ ମାମଲା ବିଚାରଯୋଗ୍ୟ ନୁହେଁ ବୋଲି ୨୦୦୬ ମସିହାରେ ସୁପ୍ରିମ୍କୋର୍ଟ ମତବ୍ୟକ୍ତ କରିବା ସହ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିଥିଲେ । ଏଥିସହ ଉଭୟ ରାଜ୍ୟ କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁପ୍ରିମ୍କୋର୍ଟଙ୍କ କଟକଣା ସତ୍ତେ୍ୱ ୨୦୨୦-୨୧ରେ ଆନ୍ଧ୍ରପ୍ରଦେଶ ସରକାର ଉକ୍ତ ଅଞ୍ଚଳରେ ତ୍ରିସ୍ତରୀୟ ନିର୍ବାଚନ କରିଥିଲେ । ଯାହାକୁ ନେଇ ଓଡ଼ିଶା ସରକାର ସୁପ୍ରିମ୍କୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ ।
ଅପରପକ୍ଷରେ ୨୦୦୬ ମସିହାରେ ସୁପ୍ରିମ୍କୋର୍ଟ ଦେଇଥିବା ଆଦେଶ ବିରୋଧରେ ଓଡ଼ିଶା ସରକାର ସୁପ୍ରିମ୍କୋର୍ଟରେ ମଧ୍ୟ ଅପିଲ୍ କରିଥିଲେ । ସମ୍ବିଧାନର ୧୩୧ ଧାରାକୁ ଉଚ୍ଛେଦ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି । ଏହି ପିଟିସନ୍ ଆଧାରରେ ସୁପ୍ରିମ୍କୋର୍ଟ ପକ୍ଷରୁ ଆନ୍ଧ୍ର ସରକାରଙ୍କୁ ନୋଟିସ୍ କରାଯାଇଛି । ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ସୁପ୍ରିମ୍କୋର୍ଟ ରେଜିଷ୍ଟ୍ରି ଏହି ସମନ୍ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଏହି ମାମଲାକୁ ଶିବୋ ଶଙ୍କର ମିଶ୍ର ପରିଚାଳନା କରୁଛନ୍ତି ।
Powered by Froala Editor