ଭୋଟ ଦେଲେ ମୋଦୀ
ନୂଆଦିଲ୍ଲୀ: ଗୁଜରାଟ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ରଣୀବର ନିଶାନ ପବ୍ଲିକ୍ ସ୍କୁଲରେ ହୋଇଥିବା ବୁଥରେ ନିଜର ମତସାବ୍ୟସ୍ତ କରିଛନ୍ତି । ଶାନ୍ତିଶୃଙ୍ଖଳା ଭାବେ ସମସ୍ତ ବୁଥରେ ମତଦାନ ହେଉଥିବା ବେଳେ ମାତ୍ର ସାମାନ୍ୟ କିଛି ବୁଥରେ ଇଭିଏମ୍ ତ୍ରୁଟି ଦେଖା ଦେଇଥିଲା । ଗୁଜରାଟର ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ଭୋଟଗ୍ରହଣ ଜାରି ରହିଛି ।ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଅହମ୍ମଦାବାଦରେ ପହଞ୍ଚି ନିଜର ମତଦାନ କରିଛନ୍ତି ।
ମୈଦାନରେ ମୋଟ୍ ୮୩୩ ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ତାଙ୍କର ଆଠ ମନ୍ତ୍ରୀ ରହିଛନ୍ତି। ଏହି ପର୍ୟ୍ୟାୟରେ ମୋଟ ୨.୫୪ କୋଟି ଭୋଟର ସେମାନଙ୍କ ବିଧାନସଭାର ନେତା ବାଛିବେ।
ମତଦାନ ପାଇଁ ମୋଟ୍ ୨୬ ହଜାର ୪୦୯ ମତଦାନ କେନ୍ଦ୍ର ରହିଛି। ୧୪ଟି ଜିଲ୍ଲାରେ ୨୯ ହଜାର ପ୍ରିଜାଇଡିଂ ଅଫିସର ଏବଂ ୮୪ ହଜାରରୁ ଅଧିକ ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଡିସେମ୍ବର ୧ରେ ପ୍ରଥମ ପର୍ୟ୍ୟାୟରେ ୮୯ ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିଲ।। ଯେଉଁଥିରେ ୬୩.୩୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଡିସେମ୍ବର ୮ରେ ହେବ ଭୋଟ୍ ଗଣତି। ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୯୯ ଟି ଆସନ ଏବଂ କଂଗ୍ରେସ ୭୭ ଟି ଆସନ ପାଇଛି। ଗତ ୨୭ ବର୍ଷ ଧରି ରାଜ୍ୟରେ ବିଜେପି କ୍ଷମତାରେ ଅଛି।
Powered by Froala Editor