ବୈବାହିକ ବିବାଦ ଶୁଣାଣି ପାଇଁ ସର୍ବମହିଳା ଖଣ୍ଡପୀଠ ଗଠନ
ସୁପ୍ରିମ୍କୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ ବୈବାହିକ ବିବାଦ ଏବଂ ଏ ସଂପର୍କିତ ଜାମିନ ମାମଲାର ଶୁଣାଣି ପାଇଁ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ୍ ବେଲା ଏମ ତ୍ରିବେଦୀଙ୍କୁ ନେଇ ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରିଛନ୍ତି। ଏହି ଦୁଇ ଜଣିଆ ସର୍ବମହିଳା ଖଣ୍ଡପୀଠ ବର୍ତ୍ତମାନ ସୁପ୍ରିମ୍କୋର୍ଟର ୧୧ ନମ୍ବର କୋର୍ଟ ରୁମ୍ରେ ବସୁଛନ୍ତି। ଏହି ଖଣ୍ଡପୀଠ ନିକଟରେ ଏହା ପୂର୍ବରୁ ୩୨ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ଇତିହାସରେ ଏହା ହେଉଛି ତୃତୀୟ ଅବସର ଯେତେବେଳେ କି ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରାଯାଇଛି।
୨୦୧୩ରେ ଜଷ୍ଟିସ ଜ୍ଞାନ ସୁଧା ମିଶ୍ର ଏବଂ ରଂଜନା ପ୍ରକାଶ ଦେଶାଇଙ୍କୁ ନେଇ ସର୍ବପ୍ରଥମ ସର୍ବମହିଳା ଖଣ୍ଡପୀଠ ଗଠନ କରାଯାଇଥିଲା। ପରେ ୨୦୧୮ରେ ଜଷ୍ଟିସ ଆର ବନୁମତି ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଅନ୍ୟ ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରାଯାଇଥିଲା।
Powered by Froala Editor