ଲୋମଟାଙ୍କୁରା ଘଟଣା: ସ୍ୱାମୀଙ୍କୁ ହତ୍ୟା ପରେ ଫ୍ରିଜ ରଖିଥିଲେ ମୃତଦେହ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ସାରା ଦେଶରେ ଜୋରସୋର ଚର୍ଚ୍ଚାରେ ରହିଛି । ତେବେ ପୁଣି ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣାର ପୁନରାବୃତ୍ତି ହୋଇଥିବା ଜଣାପଡିଛି । ଯାହା ଦିଲ୍ଲୀରେ ପୁଣି ହଇଚଇ ସୃଷ୍ଟି କରିଛି । ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବ ଦିଲ୍ଲୀରେ ଏକ ସ୍ଥାନରୁ ମିଳିଥିବା ମୃତଦେହ ଖଣ୍ଡର ରହସ୍ୟ ଉପରୁ ପରଦା ହଟାଇଛି । ସୂଚନାନୁଯାୟୀ, ପାଣ୍ଡବନଗରର ବାସିନ୍ଦା ଜଣେ ବ୍ୟକ୍ତିଙ୍କ ମୃତଦେହ ଏକ ଘରେ ଖଣ୍ଡ ଖଣ୍ଡ କରି କଟାଯାଇ ଫ୍ରିଜରେ ରଖାଯାଇଥିଲା । ଯାହାପରେ ହତ୍ୟାକାରୀ ନିୟମିତ ମୃତଦେହର ଖଣ୍ଡକୁ ପାଣ୍ଡବନଗର ଓ ପୂର୍ବ ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରେ ପକାଯାଇଥିଲା । ମୃତଦେହ ପକାଉଥିବା ଘଟଣା ସିସିଟିଭରେ କଏଦ ହୋଇଥିବା ଜଣାପଡିଛି ।
ହତ୍ୟା କରିବା ପରେ ଏଭଳି ଲୋମଟାଙ୍କୁରା ଘଟଣାରେ ଜଣେ ମାଆ ଓ ପୁଅ ଉଭୟ ସମ୍ପୃକ୍ତ ବୋଲି ଜଣାପଡିଛି । ନିଜ ସ୍ୱାମୀଙ୍କୁ ହତ୍ୟା ପରେ ମୃତଦେହକୁ 22 ଖଣ୍ଡ କରି ଫ୍ରିଜ ରଖିଥିଲେ । ନିଜ ଘରେ ମୃତଦେହର ଖଣ୍ଡ ଖଣ୍ଡ ଅଂଶକୁ ଫ୍ରିଜରେ ଲୁଚାଇ ରଖିବା ପରେ ବିଭିନ୍ନ ସ୍ଥାନରେ ନେଇ ପକାଉଥିଲେ । ପୁଲିସ ଉଭୟ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।
Powered by Froala Editor