ଡିସେମ୍ବର ୧୫ ସୁଦ୍ଧା ଭାରତ ଆସିବ ଶେଷ ରାଫେଲ୍
ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ଭାରତ ପହଞ୍ଚିବ ଫାଇଟର୍ ଜେଟ୍ ରାଫେଲ୍। ପୂର୍ବରୁ ୩୫ଟି ବିମାନ ଆସିସାରିଥିବା ବେଳେ ଏବେ ଶେଷ ବିମାନ ଆସିବାକୁ ଯାଉଛି । ଏହା ସହିତ ଫ୍ରାନ୍ସ ସହିତ ହୋଇଥିବା ୩୬ ରାଫେଲ ବିମାନର ଯୋଗାଣ ସଂପୂର୍ଣ୍ଣ ହେବ ।
୨୦୧୬ରେ ୩୬ଟି ରାଫେଲ୍ ଜେଟ୍ ଆଣିବାକୁ ଫ୍ରାନ୍ସ ସହିତ ଚୁକ୍ତି କରିଥିଲେ କେନ୍ଦ୍ର ସରକାର । ଏଥିପାଇଁ ୬୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଫ୍ରାନ୍ସରୁ ଏପର୍ଯ୍ୟନ୍ତ ୩୫ଟି ରାଫେଲ ଯୁଦ୍ଧ ବିମାନ ମିଳି ସାରିଛି । ତେବେ ଶେଷ ରାଫେଲ ଆସିବା ନେଇ ଫ୍ରାନ୍ସ ସହିତ ଆଲୋଚନା ଚାଲିଛି ଏବଂ ଏହା ଆସନ୍ତା ମାସରେ ଭାରତରେ ପହଞ୍ଚିବ ।
ପ୍ରଥମ ପର୍ଯ୍ୟାୟରେ ୨୦୨୦ ଜୁଲାଇ ୨୯ରେ ଦେଶରେ ପ୍ରଥମ ବ୍ୟାଚ୍ ରାଫେଲ ଯୁଦ୍ଧ ବିମାନ ପହଞ୍ଚିଥିଲା। ଗତ ଦୁଇ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନ୍ୟ ବିମାନଗୁଡ଼ିକର ଯୋଗାଣ ହୋଇଥିଲା । ଚୁକ୍ତି ମୁତାବକ ୩୫ଟି ଯୁଦ୍ଧ ବିମାନ ଭାରତରେ ପହଞ୍ଚିସାରିଛି । ସେଗୁଡ଼ିକୁ ହରିୟାଣା, ଅମ୍ବାଲା ଓ ପଶ୍ଚିମ ବଙ୍ଗର ହାସିମାରାରେ ମୁତୟନ କରାଯାଇଛି । ଏସବୁ ବିମାନଗୁଡ଼ିକରେ ଭାରତୀୟ ପରିସ୍ଥିତିର ଅବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ଯନ୍ତ୍ରାଂଶ ଓ ଅସ୍ତ୍ରଶସ୍ତ୍ର ଲାଗିଛି । ଶେଷ ରାଫେଲ ମିଳିବା ପରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା ।
Powered by Froala Editor