୬ଟି ରାଜ୍ୟରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା

୬ଟି ରାଜ୍ୟରେ ୭ଟି ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏନେଇ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଆସନ୍ତା ନଭେମ୍ବର ୩ ତାରିଖରେ ମତଦାନ ହେବ। ଫଳାଫଳ ନଭେମ୍ବର ୬ ତାରିଖରେ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ନିର୍ବାଚନ ହେବାକୁ ୬ ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର, ବିହାର, ଓଡ଼ିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ହରିୟାଣା।
ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ୧୫ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।
ଏହି ନିର୍ବାଚନରେ ଇଲେକଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ବ୍ୟବହାର ହେବ। ଏହି ତାଲିକାରେ ଓଡ଼ିଶାର ଧାମନଗର ନିର୍ବାଚନୀ ମଣ୍ଡଳରେ ଉପନିର୍ବାଚନ ହେବ। ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଉପନିର୍ବାଚନ ପ୍ରକ୍ରିୟା ନଭେମ୍ବର ୮ ତାରିଖରେ ଶେଷ ହେବ। ଏନେଇ ଅକ୍ଟୋବର ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତ ପ୍ରକାଶ ପାଇବ।
ଏପଟେ ଆଜି ଓଡ଼ିଶାର ବରଗଡ଼ ଜିଲ୍ଲା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କର ହୃଦ୍ଘାତରେ ପରଲୋକ ହୋଇଛି। ଫଳରେ ତାଙ୍କ ନିର୍ବାଚନ ମଣ୍ଡଳି ପଦ୍ମପୁର ଆସନ ମଧ୍ୟ ଖାଲି ହୋଇଛି। ତେଣୁ ପଦ୍ମପୁରରେ ମଧ୍ୟ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ତେବେ ପ୍ରକାଶିତ ଉପନିର୍ବାଚନ ତାଲିକାରେ ପଦ୍ମପୁର ନିର୍ବାଚନ ମଣ୍ଡଳିକୁ ସାମିଲ କରାଯାଇ ନାହିଁ।
Powered by Froala Editor