ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସମସ୍ତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି

ସୁପ୍ରିମକୋର୍ଟ ଗୁରୁବାର ଦିନ ମହିଳାଙ୍କ ହକ ସମ୍ପର୍କିତ ଏକ ବଡ଼ ରାୟ ଦେଇଛନ୍ତି । ଯେଉଁଥିରେ ସର୍ବୋଚ୍ଚ ଅଦାଲତ ଅବିବାହିତାଙ୍କୁ ଗର୍ଭପାତ କରାଇବାର ଅଧିକାର ପ୍ରଦାନ କରିଛନ୍ତି । ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଭାରତର ସବୁ ମହିଳା ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ସମସ୍ତଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି । ସୁପ୍ରିମକୋର୍ଟ ଏମଟିପି ଆଇନ ଓ ଏହା ସମ୍ବନ୍ଧିତ ନିୟମରେ ପରିବର୍ତ୍ତନକୁ ନେଇ ଏହି ରାୟ ଦେଇଛନ୍ତି ।
ଗୁରୁବାର ସୁପ୍ରିମକୋର୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗେନ୍ସି(ଏମଟିପି) ବା ଗର୍ଭପାତ ଅଧିକାର ଉପରେ ଶୁଶାଣି କରିଛନ୍ତି। ଏହି ସମୟରେ କୋର୍ଟ କହିଛନ୍ତି, ଏମଟିପି ଆକ୍ଟ ଅଧୀନରେ ଅବିବାହିତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି। ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାରର ପାତରଅନ୍ତର କରାଯାଇ ପାରିବ ନାହିଁ। ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ୨୦୨୧ର ସଂଶୋଧନ ପରେ ଏମଟିପି ଆଇନର ଧାରା-୩ରେ ପତି ବଦଳରେ ପାର୍ଟନର ଶବ୍ଦର ବ୍ୟବହାର କରାଯାଇଛି । ଯାହାକି ଅଧିନିୟମରେ ଅବିବାହିତ ମହିଳାଙ୍କୁ ଏଥିରେ ସାମିଲ କରିବା ଲାଗି ଆଇନର ଉଦ୍ଦେଶ୍ୟକୁ ଦର୍ଶାଉଛି । ଏହା ସହିତ ନ୍ୟାୟାଳୟ ଏମସ୍ ନିର୍ଦ୍ଦେଶକଙ୍କୁ ଏକ ମେଡିକାଲ ବୋର୍ଡ୍ ଗଠନ କରିବାକୁ କାହିଛନ୍ତି । ଏହି ବୋର୍ଡ୍ ମହିଳାଙ୍କ ଉପରେ ଗର୍ଭପାତର ପ୍ରଭାବ ବାବଦରେ ତର୍ଜମା କରିବ । ଗର୍ଭପାତ ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡୁଛି ନା ନାହିଁ ତାହା ବୋର୍ଡ୍ ଦେଖିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
Powered by Froala Editor