ଆତ୍ମହତ୍ୟା କଲେ ତାମିଲ ଅଭିନେତ୍ରୀ, ଚିଠିରେ ଲେଖିଗଲେ ‘ସାରା ଜୀବନ ଜଣଙ୍କୁ ପ୍ରେମ କରୁଥିବି’
ତାମିଲ ଅଭିନେତ୍ରୀ ପୌଲିନା ଜେସିକା ଓରଫ ଦୀପା ଆତ୍ମହତ୍ୟା କରିଛନ୍ତି। ଆପାର୍ଟମେଣ୍ଟରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ନୋଟ ମଧ୍ୟ ଜବତ କରିଛି। ସାରା ଜୀବନ ଜଣଙ୍କୁ ପ୍ରେମ କରୁ ଥିବି ବୋଲି ନୋଟ୍ରେ ଲେଖାହୋଇଛି। କିନ୍ତୁ ନୋଟରେ କାହାର ନାମ ଉଲ୍ଲେଖ ନାହିଁ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କ ମୃତ୍ୟୁରେ ତାମିଲ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି। ପୋଲିସ୍ ତାଙ୍କ ମୃତଦେହ ଘରର ଏକ କୋଠରୀରୁ ଫାଶିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି।
୨୯ ବର୍ଷୀୟା ଦୀପା ଚେନ୍ନାଇରେ ଏକାକୀ ରହୁଥିଲେ। ଦୀପାଙ୍କୁ ଶେଷଥର ପାଇଁ ଫିଲ୍ମ ବୈଦ୍ୟାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହ ପ୍ରେମା ମହେନ୍ଦ୍ର ମୁଖ୍ୟ ଭୂମିକାରେ ଥିଲେ। ଏହା ସହ ସେ ତାମିଲ ଥ୍ରୀଲର ଥୁପାରିଭାଲାନରେ ମଧ୍ୟ ନଜର ଆସିଥିଲେ।
କୁହାଯାଉଛି ଦୀପା ନିଜ ଜୀବନରେ ପ୍ରେମ ବ୍ୟାପାରକୁ ନେଇ ବିଷାଦରେ ଥିଲେ ଏବଂ ତାଙ୍କ ଜୀବନ ସ୍ଵାଭାବିକ ନଥିଲା। ନିକଟରେ ଗୀତିକାର କାଲିବନଙ୍କ ଝିଅ ଥୁରିଗାଇ ମଧ୍ୟ ଆତ୍ମହତ୍ୟା କରିଥିଲେ। ଥୁରିଗାଇଙ୍କ ବାପା-ମାଆ ତାଙ୍କର ବିବାହ କରାଇବାକୁ ଚାହୁଁଥିଲେ। ହେଲେ ସେ ଏଥିପାଇଁ ପ୍ରସ୍ତୁତ ନଥିଲେ। ଶେଷରେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ।
Powered by Froala Editor