ଭାରତ ଆସି ଅରଟରେ ସୂତା କାଟିଲେ ବୋରିସ୍ ଜନସନ୍

ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରୁ ବାହାରି ଅହମ୍ମଦାବାଦସ୍ଥିତ ସାବରବତି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ଗାନ୍ଧିଜୀଙ୍କ ଅରଟ ଚଲାଇ ସୂତା କାଟିଥିଲେ । ବୋରିସ ଜନସନ ଚରଖା ଚଳାଉଥିବାର ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଳେ ସେ ତଳେ ବସି ଚରଖା ଚଳାଉଥିବା ଦେଖାଯାଇଛି।
ତେବେ ଆଶ୍ରମରୁ ବାହାରିବା ପୂର୍ବରୁ ବୋରିସ୍ ଜନସନ ଗାନ୍ଧୀ ଆଶ୍ରମର ପରିଦର୍ଶକ ପୁସ୍ତକରେ ନିଜ ମନ କଥା ଲେଖିଥିଲେ। ଆଶ୍ରମକୁ ଆସିବା ଏବଂ ବିଶ୍ବକୁ ବଦଳାଇବା ପାଇଁ ସେ କିପରି ସତ୍ୟ ଏବଂ ଅହିଂସା ଭଳି ସରଳ ନୀତି ଆପଣାଇଥିଲେ ତାହା ବୁଝିବା ମୋ ପାଇଁ ଭାଗ୍ୟର ବିଷୟ ବୋଲି ପୁସ୍ତକରେ ଲେଖିଥିଲେ ଜନସନ। ତାଙ୍କର ଅହମଦାବାଦ ଗସ୍ତ ସମୟରେ ଜନସନ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କୁ ମଧ୍ୟ ଭେଟିଥିଲେ। ଦୁହେଁ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ।
ଏହା ପରେ ଗୁଜରାଟ ବାୟୋଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗୁଜରାଟର ଦୁଗ୍ଧ ଚାଷୀ ଓ ବ୍ୟବସାୟୀଙ୍କ ସହ ମଧ୍ୟ ଜନସନ୍ ଆଲୋଚନା କରିବେ । ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟରୁ ସଫ୍ଟଓୟାର କ୍ଷେତ୍ରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକାଧିକ ଦ୍ବିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହେବ । ଉଭୟ ଦେଶ ମଧ୍ୟରେ ୧ ବିଲିୟନ ଡଲାରରର ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ।
Powered by Froala Editor