ପୁଣି ବଢିଲା ସିଏନଜି ଦର
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଭଳି ଏବେ ସିଏନଜି ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଭଳି ଗୁରୁବାର ସିଏନଜି ଦାମ ବଢିଛି । ଆଜି ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ପୁଣିଥରେ ୨.୫ ଟଙ୍କା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ୬୯.୧୧ ଟଙ୍କାରେ ପହଞ୍ଚି ଯାଇଛି ।
ଗତକାଲି ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ୬୬.୬୧ ଟଙ୍କା ରହିଥିଲା । ଏପ୍ରିଲ ୪ରେ ମଧ୍ୟ ସିଏନଜିର ଦାମ ୨.୫ ଟଙ୍କା ବଢିଥିଲା । ଏବେ ଦୁଇ ଦିନରେ ସିଏନଜି ଦାମ ୫ ଟଙ୍କା ମହଙ୍ଗା ହୋଇଛି । ଏହାକୁ ମିଶାଇ ଗତ ୬ ଦିନ ମଧ୍ୟରେ ସିଏନଜିର କେଜି ପିଛା ଦାମ ୯.୧୦ ଟଙ୍କା ବଢିଲାଣି । ଆଗକୁ ଏହାର ଦାମ ଆହୁରି ବଢିବା ବୋଲି ଆଶଙ୍କା କରାଯାଉଛି ।
ଏହାପୂର୍ବରୁ ଏପ୍ରିଲ ୧ରେ ସିଏନଜିର ଦାମ କେଜି ପିଛା ୮୦ ପଇସା ମହଙ୍ଗା ହୋଇଥିଲା । ଗ୍ୟାସ୍ ଇନପୁଟ ଦାମ ବଢୁଥିବାରୁ କମ୍ପାନୀ ବାଧ୍ୟ ହୋଇ ସିଏନଜି ଦାମ ବୃଦ୍ଧି କରୁଥିବା କହିଛି । ଆଜିର ବର୍ଦ୍ଧିତ ଦର ପରେ ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ଗୋଟିଏ କେଜି ସିଏନଜିର ମୂଲ୍ୟ ୭୧.୬୭ ଟଙ୍କା ହୋଇଛି । ଗତକାଲି ଏଠାରେ ସିଏନଜି ଦାମ ୬୯.୧୮ ଟଙ୍କା ଥିଲା ।
ସେହିପରି ମୁଜାଫରନଗର, ମୀରଟ ଓ ଶାମିଲରେ ୭୬.୩୪ ଟଙ୍କା, ଗୁରୁଗ୍ରାମରେ ୭୭.୪୪ ଟଙ୍କା, ରେୱାରୀରେ ୭୯.୫୭ ଟଙ୍କା, କର୍ଣ୍ଣାଲ ଓ କୈଥାଲରେ ୭୭.୭୭ ଟଙ୍କା, କାନପୁର, ହାମିରପୁର ଓ ଫତେପୁରରେ ୮୦.୯୦ ଟଙ୍କା, ଆଜମେର, ପାଲି ଓ ରାଜସମାନ୍ଦରେ ସିଏନଜିର କେଜି ପିଛା ଦାମ ୭୯.୩୮ ଟଙ୍କା ହୋଇଯାଇଛି ।
Powered by Froala Editor