କୋଭିଡ୍ ପରିସ୍ଥିତି ଉଦ୍ବେଗଜନକ : ପିପିଲି ଉପନିର୍ବାଚନ ସ୍ଥଗିତ

ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ରାଜ୍ୟରେ କୋଭିଡ୍ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ପିପିଲି ଉପନିର୍ବାଚନକୁ ସ୍ଥଗିତ କରିଛନ୍ତି । ଏଥି ସହିତ ନିର୍ବାଚନ କମିଶନ ଆଚରଣବିଧି ଉଠାଇ ଦିଆଯାଇଛି । ନିର୍ବାଚନ ସଂକ୍ରାନ୍ତରେ ନୂଆ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ।
ଆସନ୍ତା ମେ’ ୧୬ ତାରିଖରେ ପିପିଲି ଉପ-ନିର୍ବାଚନ ହେବାର ଥିଲା । ୧୯ ତାରିଖରେ ଭୋଟ ଗଣତି ହେବାର ଥିଲା । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା। କିନ୍ତୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଉପନିର୍ବାଚନ ସ୍ଥଗିତ ରଖିବା ନେଇ ନିଷ୍ପତି ନିଆଯାଇଛି । ଲକ୍ଡାଉନ୍ ବିପର୍ଯ୍ୟୟ ପରିଚାଳନା ନିୟମ ୨୦୦୫ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି ।
କୋଭିଡ ପରିସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ନେଇ ୭ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ସମୟ ମାଗିଥିଲେ ହାଇକୋର୍ଟ । ଆଜି ଏନେଇ ବିଚାର କରିବା ସହ ଶୁଣାଣି ମଧ୍ୟ କରିଥିଲେ । ଯେହେତୁ ବର୍ତ୍ତମାନ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି ଏବଂ ବଢିଚାଲିଛି ତେଣୁ ଉପନିର୍ବାଚନ କରିବା ଠିକ ନୁହେଁ । ଏଭଳି ସ୍ଥିତିରେ ନିର୍ବାଚନ ହେଲେ ସଂକ୍ରମଣ ଆହୁରି ବଢିବା ନେଇ ଆଶଙ୍କା କରିଥିଲେ ହାଇକୋର୍ଟ ।
ସୂଚନାଯୋଗ୍ୟ, କେବଳ ପିପିଲି ନୁହେଁ, ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଉପ ନିର୍ବାଚନକୁ ମଧ୍ୟ ନିର୍ବାଚନ କମିସନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଏନେଇ ବେଙ୍ଗଲ ଏବଂ ଓଡିଶାର ସିଇଓଙ୍କ ସହ କଥା ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor