ଖଣି ମାଫିଆଙ୍କ ଟାର୍ଗେଟରେ ୨୭ ବିଧାୟକ

ଭୁବନେଶ୍ୱର: ଖଣି ମାଫିଆଙ୍କ ଟାର୍ଗେଟରେ ୨୭ ବିଧାୟକ । ଏଭଳି କହି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଠାରୁ ସୁରକ୍ଷା ଲୋଡ଼ିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଆଜି ବିଧାନସଭାର ଶୂନ୍ୟକାଳରେ ଖଣି ପ୍ରସଙ୍ଗ ଉଠାଇ ମୋହନ ସୁରକ୍ଷା ମାଗିଛନ୍ତି ।
ସେ କହିଛନ୍ତି ଯେ ଏବେ ଖଣି ମାଫିଆ ରାଜ୍ୟରେ ମାତିଛନ୍ତି । ଲୁଟତରାଜ କରୁଛନ୍ତି । ଖଣି ମାଫିଆଙ୍କ ଟାର୍ଗେଟରେ ଏବେ ବିରୋଧୀ ଦଳର ୨୭ ବିଧାୟକ ଅଛନ୍ତି । କେତେବେଳ କ’ଣ ଘଟିବ, କିଏ ସୁରକ୍ଷା ଦେବ ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି । ବାଲି, ଲୁହାପଥର, ମୋରମ ଓ ମାଟି ବେଆଇନଭାବେ ଚାଲାଣ ହେଉଛି । ବିନା ଟ୍ରାଞ୍ଜିଟ ପାସରେ ବାଲି ଉଠୁଛି । ୩୫ ହଜାର କୋଟିର ଲଘୁ ଖଣିଜ ଲୁଟ ହୋଇଛି ବୋଲି ମୋହନ ମାଝୀ ଆଜି ବିଧାନସଭାର ଶୂନ୍ୟକାଳରେ କହିଛନ୍ତି ।
ମୋହନ ମାଝୀଙ୍କ ଅନୁରୋଧ ପରେ ବାଚସ୍ପତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ତାଙ୍କ ପ୍ରକୋଷ୍ଠକୁ ଆସି ଏ ସମ୍ପର୍କରେ ଆଲୋଚନା ପାଇଁ ଡାକିଛନ୍ତି ।
Powered by Froala Editor