ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ଏପ୍ରିଲ୍ ୧ରୁ ପୁରୀକୁ ଗଡ଼ିବ ‘ମୋ ବସ୍’

ଏପ୍ରିଲ ୧ତାରିଖରୁ ପୁରୀରେ ଚାଲିବ ମୋ ବସ୍ । ଏ ନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଓ କଟକ ପରେ ସାଧାରଣ ଯାତ୍ରୀଙ୍କ ନିମନ୍ତେ ଏହି ସେବା ପୁରୀରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ମୁଖ୍ୟତଃ ୫୨ ଏବଂ ୫୩ ନମ୍ବର ଦୁଇଟି ନୁଆ ରୁଟ୍ ଯୋଡ଼ା ହୋଇଛି । ଉଭୟ ରୁଟ୍ର ବସ୍ ମାଳତୀପାଟପୁରରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟ୍ ଦେଇ ଗତି କରିବ ବୋଲି ସୂଚନା ଦିଆଯାଇଛି ।
ରୁଟ୍ ନଂ- ୫୨ ପୁରୀ ବସ୍ ଷ୍ଟାଣ୍ଡ୍ରୁ ରେଳ ଷ୍ଟେସନ୍, ସସୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ରୁଟ୍ ନଂ-୫୩ ମାଳତୀପାଟପୁରଠୁ ଅଠରନଳା ରୋଡ଼୍ ଦେଇ ପୁରୀ ବସ୍ଷ୍ଟାଣ୍ଡ ଯାଏ ଗତି କରିବ । ଏହାଦ୍ୱାରା ପୁରୀବାସୀଙ୍କ ସମେତ ପୁରୀ ପର୍ଯ୍ୟଟକଙ୍କ ପାଇଁ ଯାତ୍ରା କରିବା ଦିଗରେ ସହାୟକ ହେବ ।
କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ ସେବା ଯୋଗାଇଆସୁଛି । ଯାହାଦ୍ୱାରା ଜନସାଧାରଣଙ୍କ ନିତିଦିନିଆ ଯାତ୍ରାରେ ବେଶ ସହାୟକ ହେଉଛନ୍ତି । ପୂର୍ବରୁ ପୁରୀ ଜିଲ୍ଲାରେ ୨ଟି ରୁଟ୍ରେ ଏକ୍ସପ୍ରେସ୍ ସେବା ଜାରୀ ରହିଛି କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ୍ ଚଳାଚଳ ଆରମ୍ଭ ହେବ ।
କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, “ପୁରୀ ଭଳି ଏକ ପର୍ଯ୍ୟଟକ ବହୁଳ ସ୍ଥାନରେ କ୍ରୁଟ୍ ପକ୍ଷରୁ ମୋ ବସ୍ ସେବା ଆରମ୍ଭ ହେଉଛି ଏହା ନିଶ୍ଚୟ ଖୁସିର ଖବର । ଆଶା କରୁଛୁ ଯେ, ପୁରୀ ଜିଲ୍ଲା ଏବଂ ପୁରୀକୁ ଆସୁଥିବା ଦୈନିକ ହଜାର ହଜାର ପର୍ଯ୍ୟଟକମାନଙ୍କ ପାଇଁ ମୋ ବସ୍ ସେବା ବେଶ୍ ସହାୟକ ହେବ ।”
Powered by Froala Editor