ହଲ ଉପରେ ହମଲା, ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା
ୟୁକ୍ରେନ ଉପରେ ରୁଷର ହମଲା ଥମୁନି । ଏବେ ୟୁକ୍ରେନର ପୋର୍ଟ ସହର ମାରିୟୁପୋଲରେ ଥିବା ଗୋଟିଏ ସିନେମା ହଲ ଉପରେ ରୁଷ ପକ୍ଷରୁ ବୋମା ମାଡ଼ କରାଯାଇଛି। ଏଥିରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ଅଧିକାରୀଙ୍କ ଅନୁଯାୟୀ, ଶିଶୁଙ୍କ ସମେତ ହଜାରେରୁ ଅଧିକ ଲୋକ ହଲରେ ଶରଣ ନେଇଥିଲେ। ସିନେମା ହଲ ଉପରେ ରୁଷ ମିସାଇଲ୍ ଆକ୍ରମଣ କରିଥିଲା।
ଗତ ସପ୍ତାହରେ ହିଁ ରୁଷ ପକ୍ଷରୁ ମାରିୟୁପୋଲରେ ଥିବା ହଲ ଉପରେ ହମଲା କରାଯାଇଥିଲା। ମାରିୟୁପୋଲ ସିଟି ହଲ୍ ଟେଲିଗ୍ରାମରେ ଲେଖିଛି ଯେ ସହରର ବିଭିନ୍ନ ଆବାସିକ ଅଞ୍ଚଳରେ ରୁଷ ଏୟାରଷ୍ଟ୍ରାଇକ କରିଥିଲା। ଫଳରେ ଲୋକମାନେ ଘର ଛାଡ଼ି ସିନେମା ହଲ ଓ ଅନ୍ୟାନ୍ୟ ସ୍ଥାନରେ ଆଶ୍ରୟ ନେଇଥିଲେ। ମାରିୟୁପୋଲର ଡ୍ରାମା ଥିଏଟରରେ ମଧ୍ୟ ୩୦୦ରୁ ଅଧିକ ଲୋକ ରହୁଥିଲେ। ହେଲେ ରୁଷ ସେନା ଯୁଦ୍ଧ ବିମାନରୁ ହଲକୁ ଟାର୍ଗେଟ କରି ବୋମା ମାଡ଼ କରିଥିଲା। ଫଳରେ ହଲଟି ସଂପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଛି।
ୟୁକ୍ରେନର ଅନେକ ସହର ଉପରେ ରୁଷର ଭୀଷଣ ବୋମାବର୍ଷଣ ଜାରି ରହିଛି। ଖାରକିଭରେ ରାତିସାରା ରୁଷ ସେନା ପକ୍ଷରୁ ଭୀଷଣ ବୋମାବର୍ଷଣ କରାଯାଇଛି। ସହରର ଅନେକ ସ୍ଥାନରେ ଧୂଆଁ ଉଠିବାରେ ଲାଗିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ପୋଲାଣ୍ଡ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ୟୁକ୍ରେନର ସୀମା ନିକଟରେ ଅଛନ୍ତି। ନିକଟରେ ବାଇଡେନ୍ କହିଥିଲେ ଯେ, ଯଦି ରୁଷ ୟୁକ୍ରେନ ଉପରେ ରସାୟନିକ ଅସ୍ତ୍ର ଶସ୍ତ୍ର ପ୍ରୟୋଗ କରେ ତେବେ ନାଟୋ ଏହାର ଜବାବ ଦେବ।
Powered by Froala Editor