ୟୁକ୍ରେନ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ
କିଭ୍: ୟୁକ୍ରେନର ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଆକ୍ରମଣ । ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟ ଉପରେ ଆଜି ଋଷ ଆକ୍ରମଣ କରିଛି । ୟୁକ୍ରେନର ଜାପୋରିଝରିଆ ନିକଟରେ ଥିବା ସର୍ବବୃହତ୍ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ ହୋଇଛି । ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନ୍ସି ଘଟଣା ସମ୍ପର୍କରେ ଟ୍ବିଟ୍ କରି ସ୍ପଷ୍ଟ କରିଛି । ଏଥିସହ ୟୁକ୍ରେନ କର୍ତ୍ତୃପକ୍ଷକ୍ଷଙ୍କ ସହ ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନ୍ସି ଡିଜି ରାଫେଲ ମାରିଆୋ ଗ୍ରୋସି । ଯଦି ପ୍ଲାଣ୍ଟରେ ବିକିରଣ ହୁଏ ତାହାଲେ ସ୍ଥିତି ଅତ୍ୟନ୍ତ ଭୟାନକ ହେବ ବୋଲି IAEA ସତର୍କ କରାଇଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପ୍ଲାଣ୍ଟରେ ଆକ୍ରମଣ ସମୟର ଏକ ଭିଡିଓ ଟ୍ବିଟ୍ କରିଛନ୍ତି ।
ଯାହା ସୂଚନା ରହିଛି, ଋଷ ସେନାର ବୋମା ମାଡ ଯୋଗୁଁ ଜାପୋରିଝରିଆ ପରମାଣୁ ପ୍ଲାଣ୍ଟରେ ନିଆଁ ଲାଗିଛି । ଋଷୀୟ ସେନା ପ୍ଲାଣ୍ଟର ଚାରିପଟୁ ଘନ ଘନ ଗୁଳିମାଡ କରୁଛନ୍ତି । ଏହାଦ୍ବାରା ଯଦି ସମ୍ପୂର୍ଣ୍ଣ ପ୍ଲାଣ୍ଟରେ ନିଆଁ ଲାଗିଯିବ ଅଥବା ବିସ୍ଫୋରଣ ହେବ ତେବେ ସ୍ଥିତି ଚେର୍ଣ୍ଣୋବିଲ ଡିଜାଷ୍ଟରର ୧୦ ଗୁଣା ହେବ ବୋଲି କୁହାଯାଉଛି । ଏଣୁ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ନିବେଦନ କରିଛନ୍ତି ।
ପ୍ରକାଶଥାଉ କି, ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ଘମାଘୋଟ ଯୁଦ୍ଧ ଆଜି(ଶୁକ୍ରବାର) ନବମ ଦିନରେ ପହଞ୍ଚିଛି । ରାଜଧାନୀ କିଭ୍କୁ ଦଖଲ କରିବାକୁ ଆକ୍ରମଣକୁ ଜୋରଦାର କରିଛି ଋଷିଆ । ଋଷ ସେନାର ବୋମା ମାଡ ଓ ଗୁଳି ବର୍ଷାରେ ଏବେ ୟୁକ୍ରେନର ଅନେକ ଅଞ୍ଚଳ ମାଟିରେ ମିଶିଯାଇଛି । ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ ଯୋଗୁଁ ମୃତ୍ୟୁସଂଖ୍ୟା ବି ବଢିବାରେ ଲାଗିଛି । ଏପରି ସ୍ଥିତିରେ ଜାପୋରିଝରିଆ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ ସ୍ଥିତି ଅଧିକ ଭୟଙ୍କର ରହିଛି ।
Powered by Froala Editor