କାଉଣ୍ଟିଂ ଅପଡେଟ: ବିଜେଡି ୭୦୩, ବିଜେପି ୪୦, କଂଗ୍ରେସ ୩୭, ଅନ୍ୟ ୦୭
ଭୁବନେଶ୍ୱର: ଅଭୂତପୂର୍ବ । ଏକତରଫା ଫଳାଫଳ । ସମସ୍ତେ ଚକିତ । ବିଜେପି ଓ କଂଗ୍ରେସ ଶିବିର ହତାଶ । ରେକର୍ଡ ବିଜୟଯାତ୍ରାରେ ଆଗେଇ ଚାଲିଛି ବିଜୁ ଜନତା ଦଳ । ପଞ୍ଚାୟତ ଭୋଟ୍ରେ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ଇତିହାସ ଲେଖିବାକୁ ଯାଉଛି ଶାସକ ଦଳ । ଖୁବଶୀଘ୍ର ହେବାକୁ ଯାଉଛି ପଞ୍ଚାୟତ ଫଇସଲା । ଚାଲିଛି ତୃତୀୟ ଦିନର ଭୋଟ ଗଣତି । ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ । ତୃତୀୟ ଦିନରେ ୨୩୧ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗଣତି । ତେବେ ସକାଳ ୧୦ଟା ୫୭ ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ ବିଜେଡି ୭୮୭ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୭୦୩ ଜୋନରେ ଆଗୁଆ ଅଛି । ସେହିପରି ବିଜେପି ୪୦ ଓ କଂଗ୍ରେସ ୩୭ ଓ ଅନ୍ୟ ଦଳ ୭ ଜୋନରେ ଆଗୁଆ ଅଛି ।
ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ହେଉଛି ତୃତୀୟ ତଥା ଅନ୍ତିମ ଦିନ। ଅନ୍ୟପକ୍ଷରେ ଗତକାଲି ଠାରୁ ଚାଲିଥିବା ଦ୍ୱିତୀୟ ଦିନର ଗଣତି ଆଜି ବି ଜାରି ରହିଛି। ଦ୍ୱିତୀୟ ଦିନର ଗଣତିରୁ ଏଯାବତ୍ ୨୭୦ଟି ଜିଲ୍ଲା ପରିଷଦ ଜୋନ୍ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ୨୩୬ଟି ଆସନରେ ବିଜୟୀ ହୋଇଛି। ସେହିପରି ବିଜେପି ଓ କଂଗ୍ରେସ ଯଥାକ୍ରମେ ୧୬ ଓ ୧୫ଟି ଆସନ ପାଇଛନ୍ତି। ସ୍ୱାଧୀନ ଓ ଅନ୍ୟ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଛି ୩ଟି ଜୋନ୍। ଆହୁରି ୩୫ଟି ଜୋନ୍ର ଫଳାଫଳ ଆସି ନାହିଁ। ଏଗୁଡ଼ିକର ଗଣତି ଶେଷ ହୋଇନାହିଁ।
ଶନିବାର ପ୍ରଥମ ଦିନରେ ୩୧୫ଟି ଆସନରେ ଭୋଟ୍ ଗଣତି ହୋଇଥିଲା, ଯାହା ରବିବାର (ଗତକାଲି) ପର୍ୟ୍ୟନ୍ତ ଚାଲିଥିଲା। ଏହି ୩୧୫ଟି ଜିଲ୍ଲା ପରିଷଦ ଜୋନ୍ରୁ ବିଜେଡି ୨୮୨ଟି ଆସନ ଜିତିଥିବା ବେଳେ ବିଜେପି ୧୫ ଓ କଂଗ୍ରେସ ୧୪ଟି ଆସନ ଜିତିଥିଲା। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କ ହାତକୁ ଯାଇଥିଲା ୪ଟି ଆସନ।
ପ୍ରଥମ ଦିନର ଫଳାଫଳ ଓ ଦ୍ୱିତୀୟ ଦିନର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ଫଳାଫଳକୁ ମିଶାଇଲେ ବିଜେଡି ୫୧୮ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜୟ ଲାଭ କରିସାରିଲାଣି। ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ମିଶି ଏଯାଏ ୧୦୦ ଆସନ ଦଖଲ କରି ପାରି ନାହାନ୍ତି। ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ହାତକୁ ଯାଇଛଇ ୨୯ଟି ଆସନ। ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୭ଟି ଆସନ ହାତେଇଛନ୍ତି।
Powered by Froala Editor