ସ୍କୁଟିରେ ବସି ଗପୁଥିଲେ ଦୁଇ ସାଙ୍ଗ , ଚଢିଗଲା କାର

ବୌଦ୍ଧ: ମୃତୁ୍ୟ କାହ ପାଇଁ କେତେବେଳେ ଆସେ, ତାହା କହି ହୁଏ ନାହିଁ । ଏକ ସ୍କୁଟି ଉପରେ ବସି ଦୁଇ ସାଙ୍ଗ ଗପୁଥିଲାବେଳେ ହଠାତ୍ କାର୍ ମାଡି ଆସି ଧକ୍କା ଦେବା ଫଳରେ ଚାଲିଗଲା ଦୁଇ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ବୌଦ୍ଧ ମହାନଦୀ ବ୍ରିଜ୍ ଉପରେ ।
ଗତକାଲି ସନ୍ଧ୍ୟା ବେଳେ ମହାନଦୀର ସୁଲସୁଲିଆ ପବନର ମଜା ନେବା ସହ ଖଟି କରିବାକୁ ୨ସାଙ୍ଗ ସ୍କୁଟିରେ ବୌଦ୍ଧ ମହାନଦୀ ବ୍ରିଜ ଉପରକୁ ଆସିଥିଲେ । ଏକ ସାଇଡରେ ସ୍କୁଟି ରଖି ତା’ ଉପରେ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ହଠାତ୍ ରାସ୍ତାର ଅପରପାର୍ଶ୍ୱରେ ଯାଉଥିବା ଏକ କାର୍ ମାଡି ଆସି ୨ ସାଙ୍ଗଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତୁ୍ୟ ହୋଇଛି । ଏପରି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ମହାନଦୀ ବ୍ରିଜ ଉପରେ ଘଟିଛି । ମୃତ ୨ ସାଙ୍ଗ ହେଲେ ବୌଦ୍ଧ ସହର ବୁଟୁପାଲିର ମୋତିଲାଲ ଯୋଶୀରା ଓ ଅଭିଷେକ ସାହୁ । ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ପରେ ରେଢ଼ାଖୋଲ ପଟୁ ବୌଦ୍ଧ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍ ଯାଉଥିଲା । ଏହି ସମୟରେ ରାସ୍ତାର ବିପରୀତ ଦିଗରେ ଏକ ସ୍କୁଟି ଉପରେ ମୋତିଲାଲ ଓ ଅଭିଷେକ ବସିଥିଲେ । ଏହି ସମୟରେ ହଠାତ୍ କାର୍ଟି ବାମ ପଟୁ ଡାହଣ ପଟକୁ ମାଡି ଆସିଥିଲା । କାର୍ଟି ପ୍ରଥମେ ଜଣେ ବାଇକ୍ ଚାଳକଙ୍କୁ ଧକ୍କା ଦେଇଥିଲା । ଏହାପରେ କାର୍ଟି ବ୍ରିଜ୍ ବାଡାରେ ପିଟି ହୋଇ ସ୍କୁଟି ଉପରେ ବସିଥିବା ୨ ସାଙ୍ଗଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଭୟଙ୍କ ମୃତୁ୍ୟ ଘଟିଥିଲା ।
ଏଥିଯୋଗୁ ବ୍ରିଜ ଉପରେ ଦୀର୍ଘ ସମୟ ଗାଡି ଚଳାଚଳ ବନ୍ଦ ରହିଥିଲା । ଖବର ପାଇ ବୌଦ୍ଧ ପୁଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ୩ଟିକୁ ଜବତ କରିଛି । ଏଥିସହ ଗାଡି ଚଳାଚଳକୁ ସ୍ୱାଭାବିକ କରିଛି । ଦୁର୍ଘଟଣା ସମୟରେ କାର୍ରେ ଥିବା ଚାଳକ ଓ ଅନ୍ୟମାନଙ୍କ ସମ୍ପର୍କରେ କିଛି ଖବର ମିଳି ନାହିଁ ।
Powered by Froala Editor