ବାଲାଟ ପେପର ଷ୍ଟାମ୍ପକୁ ନେଇଗଲେ ଦୁର୍ବୃତ୍ତ

ଯାଜପୁର: ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି । ଆଜି ସକାଳ ୭ଟାରୁ ପ୍ରଥମ ପର୍ୟ୍ୟାୟରେ ୧୬୬୯ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା ପରିଷଦ ଜୋନ୍ରେ ମତଦାନ ହେବ । ଏଥି ପାଇଁ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ୭୨୬ ଜଣ ପ୍ରାର୍ଥୀ ନିର୍ବାଚନୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । ମତଦାନ ଦିନ ୧ଟା ଯାଏଁ ଜାରି ରହିବ ।
ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବୁଥ ବାହାରେ ୨ ଗୋଷ୍ଠୀ ମଧ୍ୟ ଗଣ୍ଡଗୋଳ ହେବା ପରେ କିଛି ଦୁର୍ବୃତ୍ତ ବାଲାଟ ପେପର ଷ୍ଟାମ୍ପକୁ ନେଇଯାଇଥିବା ଅଭିଯୋଗ ହୋଇଛି । ସୁଜନପୁର ପଞ୍ଚାୟତ ଅନ୍ତର୍ଗତ ୧ ନଂ ବୁଥରେ ଭଙ୍ଗାରୁଜା ପରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି । ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
ସେହିପରି ପୁରୀ ଜିଲ୍ଲା ବ୍ରହ୍ମଗିରି ଚାପମାଣିକ ପଞ୍ଚାୟତ ଅନ୍ତର୍ଗତ କାଶିଝରିଆ ଗାଁର ୯ ନମ୍ବର ବୁଥରେଭୋଟ ଚାଲିଥିବାବେଳେ କିଛି ଦୁର୍ବୃତ୍ତ ବାଲାଟ ବକ୍ସ ଉଠାଇ ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେଠାରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଏଭଳି ଘଟଣା ଘଟିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ବୁଥକୁ ପହଞ୍ଚିଥିବା ଭୋଟର ମତଦାନ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ।
Powered by Froala Editor