ଜାଲରେ ପଡ଼ି କୂଳକୁ ଆସିଥିଲା, ସମୁଦ୍ରରେ ଛାଡ଼ିଲେ ମତ୍ସ୍ୟଜୀବୀ ଓ ବନବିଭାଗ
ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଅନ୍ତର୍ଗତ ତନ୍ତାଡ଼ି ବେଳାଭୂମିରେ କୂଳରେ ବସାଯାଇଥିବା ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳକାୟ ସାର୍କ ଧରାପଡିଛି । ଏହାର ଓଜନ ପ୍ରାୟ ୨ ଟନ୍ ହେବ । ତେବେ ଏହି ବିଲୁପ୍ତପ୍ରାୟ ମାଛକୁ ବନବିଭାଗ ସହ ଧୀବର ଏବଂ ବନ୍ୟପ୍ରାଣୀ ସଂରକ୍ଷକମାନେ ସମୁଦ୍ର ଭିତରେ ଛାଡ଼ି ଦେଇଛନ୍ତି। ଚିହ୍ନଟ କରାଯିବା ପାଇଁ ଉକ୍ତ ମାଛର ଛବି ବର୍ତ୍ତମାନ ‘ମାଲ୍ଡିଭ୍ସ୍ ହ୍ବେଲ୍ ସାର୍କ ରିସର୍ଚ ପ୍ରୋଗ୍ରାମ’କୁ ପଠାଯାଇଛି।
ଗଭୀର ସମୁଦ୍ରକୁ ଟ୍ରଲର ଧରି ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ପ୍ରଥମେ ଜାଲରେ ବିପୁଳ ପରିମାଣରେ ମାଛ ଲାଗିଥିବା ମନେକରି ଖୁସିରେ ଜାଲକୁ ଟାଣି ଟାଣି କୂଳକୁ ଆଣିଥିଲେ । ତେବେ ଜାଲରେ ଏକ ସାର୍କ ଲାଗିଥିବା ଦେଖିବାପରେ ସେମାନେ ଚିନ୍ତାରେ ପଡିଯାଇଥିଲେ । ସାର୍କଟି ଜୀବିତ ଥିଲା । ଏ ସମ୍ପର୍କରେ ଜଙ୍ଗଲ ବିଭାଗକୁ ଖବର ଦିଆଯିବା ପରେ ସ୍ଥାନୀୟ ବନ ବିଭାଗ ଅଧିକାରୀ ତାଙ୍କ ଦଳ ସହିତ ତାନ୍ତାଡି ଉପକୂଳରେ ପହଞ୍ଚିଥିଲେ । ସେମାନେ ବହୁ ପରିଶ୍ରମ କରି ସାର୍କକୁ ଜାଲରୁ ମୁକ୍ତ କରିଥିଲେ । ଏହାପରେ ତାକୁ ତୁରନ୍ତ ସମୁଦ୍ର ଭିତରକୁ ନେବା ବ୍ୟବସ୍ଥା କରାଯାଇଥିଲା ଏବଂ ସେଥିରେ ସେମାନେ ସଫଳ ହୋଇଥିଲେ । କିଛି ସମୟ ପରେ ସାର୍କଟି ପହଁରି ପହଁରି ଗଭୀର ସମୁଦ୍ରକୁ ଚାଲିଯାଇଥିଲା ।
Powered by Froala Editor