ଓମିକ୍ରାନ ଭାରିଏଣ୍ଟକୁ ନେଇ ଚିନ୍ତା : ବରିଷ୍ଠ ଅଧିକାରୀଙ୍କ ସହ ମୋଦିଙ୍କ ବୈଠକ
କରୋନାର ନୂଆ ଭାରିଏଣ୍ଟ ଓମିକ୍ରାନ କାୟା ବିସ୍ତାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ୨ ଘଣ୍ଟା କାଳ ବୈଠକ କରିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ବ୍ୟତୀତ କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ମିଶ୍ର, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଏନଆଇଟିଆଇ ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ ମଧ୍ୟ ଉପସ୍ଥିତ ଥିଲେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ କରି ସାମ୍ନାକୁ ଆସିଥିବା ଓମିକ୍ରାନ ଭାରିଏଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଏହି ଭାରିଏଣ୍ଟର ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ମୋଦିଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି। ନୂଆ ଭାରିଏଣ୍ଟ ବିରୋଧରେ ଭାରତରେ ହୋଇଥିବା ପ୍ରସ୍ତୁତି ଓ ବିଶ୍ୱରେ ଏହାର ସ୍ଥିତି କ’ଣ ରହିଛି, ସେକଥା ମଧ୍ୟ ମୋଦିଙ୍କୁ ଅବଗତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓମିକ୍ରାନ କିଛି ୟୁରୋପୀୟ ଦେଶ ସମେତ ଦକ୍ଷିଣ ଆଫ୍ରିକାରେ ନିଜର ପ୍ରଭାବ ଦେଖାଇ ପାରିଛି। ଭାରତରେ ଏଯାଏ ଓମିକ୍ରାନ ଠାବ ହୋଇନାହିଁ। କିନ୍ତୁ ଆଜି ଦିଲ୍ଲୀର ସବୁ ହସ୍ପିଟାଲଗୁଡ଼ିକ ସତର୍କ ରହିବାକୁ କୁହାଯାଇଛି। ସେହିପରି ହସ୍ପିଟାଲରେ କୋଭିଡ କଟକଣା କଡ଼ାକଡ଼ି ଭାବେ ଲାଗୁ କରିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅଧିକାରୀଙ୍କୁ ମୋଦି ନୂଆ ଭାରିଏଣ୍ଟ ପ୍ରତିସତର୍କ ରହିବାକୁ କହିଛନ୍ତି। ଏଥିସହ ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି।
Powered by Froala Editor