ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ : ୪ ମୃତ, ୧୨ ଆହତ
ଚାଇନା ରାଜଦୂତ ରହୁଥିବା ଏକ ହୋଟେଲରେ ବିସ୍ଫୋରଣ ହେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ୧୨ ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନର କ୍ୱେଟା ସହରରେ ଥିବା ସେରେନା ହୋଟେଲରେ ଏହି ବିସ୍ଫୋରଣ ହୋଇଛି। ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ହୋଟେଲରେ ପାର୍କିଂ ଏରିଆରେ ଥିବା କାରରେ ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ହୋଇଛି।
ପାକିସ୍ତାନ ଗୃହମନ୍ତ୍ରୀ ରଶିଦ ଅହମଦଙ୍କ ବିବୃତ୍ତି ଅନୁଯାୟୀ, ହୋଟେଲରେ ଚାଇନାର ରାଜଦୂତ ରହୁଥିଲେ। ହେଲେ ବିସ୍ଫୋରଣ ବେଳେ ରାଜଦୂତ ଜଣଙ୍କ ହୋଟେଲ ବାହାରେ ଥିଲେ। ଏହି ବିସ୍ଫୋରଣକୁ ଆତଙ୍କବାଦ କାଣ୍ଡ ବୋଲି ଅଭିହିତ କରି ଗଣମାଧ୍ୟମକୁ କହିଛନ୍ତି, ଏଥିରେ ଅନ୍ୟୂନ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୨ଜଣ ଆହତ ହୋଇଛନ୍ତି। ବେଲୁଚିସ୍ତାନର ଗୃହମନ୍ତ୍ରୀ ଜିୟାଉଲ୍ଲାହ କହିଛନ୍ତି, ଚାଇନାର ରାଜଦୂତ ସୁରକ୍ଷିତ ରହିଛନ୍ତି। ତେବେ ଚାଇନା ରାଜଦୂତ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ବିସ୍ଫୋରଣ ପରେ ପରେ ନିରାପତ୍ତା ବଳ ‘ସେରିନା ହୋଟେଲ୍’କୁ ଧାଇଁ ଯାଇଥିଲେ, ଏବଂ ବିସ୍ଫୋରଣସ୍ଥଳକୁ କାହାରିକୁ ଛଡ଼ାଯାଇ ନଥିଲା। ଉଦ୍ଧାରକାରୀମାନେ ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାମାନଙ୍କୁ ନେଇଯାଇଥିବା କଥା ପୁଲିସ କହିଛି। ପାକିସ୍ତାନ ‘ନିଉଜ୍ ଚାନେଲ୍’ରେ ଜଳନ୍ତା କାର୍ଗୁଡ଼ିକର ‘ଫୁଟେଜ୍’ ମଧ୍ୟ ପ୍ରସାରିତ ହୋଇଛି। ପାର୍କରେ ଥିବା କାର୍ ମଧ୍ୟରେ ‘ଆଇଇଡି’ ରଖାଯାଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Powered by Froala Editor