ଆଜି କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବ

ନୂଆଦିଲ୍ଲୀ: ଭାରତରେ ନିର୍ମିତ ଏହି କରୋନା ଟିକା ନେବାପାଇଁ ବିଶ୍ୱର ଏକାଧିକ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତି । ଭାରତରେ ବ୍ୟବହାର ପରେ ବଳକା ଟିକାକୁ ବିଦେଶ ରପ୍ତାନୀ ପାଇଁ ଯୋଜନା କରୁଛି ଭାରତ ବାୟୋଟେକ । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର କୋଭାକ୍ସିନ ଟିକାକୁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବ ବୋଲି କୁହାଯାଉଛି । ଏଥିପାଇଁ ଆଜି ଡବ୍ଲୁଏଚଓ ବୈଷୟିକ ପରାମର୍ଶଦାତା କମିଟିର ବୈଠକ ବସୁଛି ।
ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ଏହି କମିଟ ବିଚାର କରିବ । ଏଥିପାଇଁ ଡବ୍ଲୁଏଚଓ ମାଗିଥିବା ସମସ୍ତ ତଥ୍ୟ ପର୍ଯ୍ୟାୟକ୍ରମେ ଟିକା ନିର୍ମାତା ଭାରତ ବାୟୋଟେକ କମ୍ପାନି ପ୍ରଦାନ କରିଛି । ଏପରିକି ସେପ୍ଟେମ୍ବର ୨୭ରେ କମ୍ପାନି ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇଥିଲା ।
ସେହିପରି କୋଭାକ୍ସିନକୁ ଡବ୍ଲୁଏଚଓ ମାନ୍ୟତା ମିଳିଲେ ଏହି ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବା ସହଜ ହେବ । ଭାରତର ସହରାଂଚଳ ଗୁଡିକରେ କୋଭାକ୍ସିନ ଟିକା ଦିଆଯାଉଥିବାରୁ ବିଦେଶକୁ ଉଚ୍ଚଶିକ୍ଷା ପାଇଁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହା ବାଧା ସୃଷ୍ଟି କରୁଛି । ବର୍ତମାନ ସୁଦ୍ଧା ଡବ୍ଲୁଏଚଓ ବିଶ୍ୱର ୬ଟି ଟିକାକୁ ଅନୁମୋଦନ କରିଛି । ଏଗିଡୁକ ମଧ୍ୟରେ ରହିଛି ଫାଇଜର, ଜନସନ ଆଣ୍ଡ ଜନସନ୍, ଆଷ୍ଟ୍ରାଜେନେକା, ମଡେର୍ଣ୍ଣା, ସିନୋଫାର୍ମ ଓ ସିନୋଭାକ ଟିକା ।
Powered by Froala Editor