ପୁଣି ଦଳର ଅଧ୍ୟକ୍ଷ ହୋଇପାରନ୍ତି ରାହୁଲ
ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ କଂଗ୍ରେସର କାର୍ୟ୍ୟକାରିଣୀ ବୈଠକ ହୋଇଛି । ବୈଠକ ପରେ ପୁଣି ରାହୁଲ ଦଳର ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନ୍ୟପଟେ କାର୍ୟ୍ୟକାରିଣୀ ବୈଠକରେ ଅସନ୍ତୁଷ୍ଟ ଜି-୨୩ ନେତାଙ୍କୁ ସୋନିଆ ନାଲି ଆଖି ଦେଖାଇଥିବା ଚର୍ଚ୍ଚା ଚାଲିଛି । ଗଣମାଧ୍ୟମରେ ବିବୃତି ନଦେଇ ଦଳୀୟ ଅନୁଶାସନ ଭିତରେ ରହିବାକୁ ଅସନ୍ତୁଷ୍ଟ ନେତାଙ୍କୁ ତାଗିଦ କରିଛନ୍ତି ସୋନିଆ ଗାନ୍ଧୀ । ଏହାଛଡା ଦଳର ପରବର୍ତ୍ତୀ ରଣନୀତି ଉପରେ କାର୍ୟ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି ।ସେ ହିଁ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷା । ଦଳରେ ରହିବାକୁ ହେଲେ ମାନିବାକୁ ପଡ଼ିବ ଅନୁଶାସନ । ଦୀର୍ଘଦିନ ପରେ ଦିଲ୍ଲୀରେ ବସିଛି କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଅସନ୍ତୁଷ୍ଟ ନେତାଙ୍କୁ ନାଲିଆଖି ଦେଖାଇଛନ୍ତି ସୋନିଆ ଗାନ୍ଧୀ । ଆଉ କହିଛନ୍ତି, ସେ ହିଁ ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷା । ତାଙ୍କ ସହ କଥା ହେବା ପାଇଁ ମିଡିଆର ସାହାରା ନେବା ଆବଶ୍ୟକ ନାହିଁ । ଦଳରେ ରହିବାକୁ ହେଲେ ଅନୁଶାସନ ଓ ନିୟମ ମାନିବାକୁ ହେବ ବୋଲି କହିଛନ୍ତି ସୋନିଆ ।କଂଗ୍ରେସରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଲାଗି ବାରମ୍ବାର ଦାବି କରି ଆସୁଛନ୍ତି, ଜି-୨୩ ଭାବେ ପରିଚିତ କଂଗ୍ରେସର ଅସନ୍ତୁଷ୍ଟ ନେତା । ନିକଟରେ ବରିଷ୍ଠ ନେତା କପିଲ୍ ସିବଲ୍, ଦଳର ପରିଚାଳନା ନେଇ ଆପତ୍ତି ଉଠାଇଥିଲେ । କଂଗ୍ରେସର ଅଧ୍ୟକ୍ଷ କିଏ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ତୁରନ୍ତ ସିଡବ୍ଲୁସି ବୈଠକ ଡାକିବାକୁ ଦାବି କରିଥିଲେ ସିବଲ ।ସିଡବ୍ଲୁସି ବୈଠକରେ କଂଗ୍ରେସ ସାଂଗଠନିକ ନିର୍ବାଚନ ନେଇ କାର୍ୟ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତାବର୍ଷ ଜିଲ୍ଲାସ୍ତରରୁ ଆରମ୍ଭ କରି ପିସିସି ଓ ଏଆଇସିସିର ବିଭିନ୍ନ କମିଟି ଏବଂ ସଭାପତି ପଦ ପାଇଁ ନିର୍ବାଚନ ହେବ । ୨୦୨୨ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ସେପଟେ ପୁଣିଥରେ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି । ଦିଲ୍ଲୀ କଂଗ୍ରେସ ୱାର୍କିଂ କମିଟି ବୈଠକ ପରେ ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ଆଗାମୀ ଦିନରେ ବିଚାର କରିପାରନ୍ତି ବୋଲି କହିଥିବା ସୂଚନା ମିଳିଛି ।
Powered by Froala Editor