୭ ଯାଏ ଏନ୍ସିବି ରିମାଣ୍ଡରେ ରହିବେ ଆର୍ଯ୍ୟନ
ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୧୧ପର୍ଯ୍ୟନ୍ତ ହେପାଜତକୁ ନେବାକୁ ଆବେଦନ କରିଥିଲା ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) । ଆଜି ଏହାର ଶୁଣାଣି କରି ଅଦାଲତ ଅକ୍ଟୋବର ୧୧ ପରିବର୍ତ୍ତେ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍ୟନ୍ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଇଛନ୍ତି।
ଶନିବାର ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଏନସିବି ଅଧିକାରୀମାନ ମୁମ୍ବାଇର ଏକ କ୍ରୁଜ୍ରୁ ଗିରଫ କରିଥିଲେ। ଏହା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଦିନିକିଆ ରିମାଣ୍ଡରେ ନିଆଯାଇଥିଲା। ଆଜି ରିମାଣ୍ଡ ଅବଧି ସରୁଥିବାରୁ ଅଧିକ ଜେରା ପାଇଁ ଏନ୍ସିବି କୋର୍ଟରେ ଆବେଦନ କରିଥିଲା।
ମୁମ୍ବାଇ କୋର୍ଟରେ ଶୁଣାଣି ବେଳେ ଏନ୍ସିବି ପକ୍ଷରୁ ଆର୍ଯ୍ୟନ ଓ ଅନ୍ୟ ଅଭିଯୁକ୍ତଙ୍କ ଅନ୍ତର୍ଜାତୀୟ ଲିଙ୍କ୍ ବିଷୟରେ କୋର୍ଟଙ୍କୁ ଅବଗତ କରାଯାଇଥିଲା। ରିମାଣ୍ଡ ଅବେଦନକୁ ଆର୍ଯ୍ୟନଙ୍କ ଓକିଲ ବିରୋଧ କରିଥିବା ବେଳେ କୋର୍ଟଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲା।
ଅଦାଲତଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହି ଘଟଣାରେ ଅନୁସନ୍ଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ଏନସିବିର ପଚରାଉଚରା ଜରୁରୀ। ସେଥିପାଇଁ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍ଯ୍ୟନ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଯାଉଛି।
Powered by Froala Editor