ଦିଦିଙ୍କ ରେକର୍ଡ : ଭବାନୀପୁରରେ ଦମ୍ଦାର ବିଜୟ
ଭବାନୀପୁର ଉପନିର୍ବାଚନରେ ୫୮,୮୩୨ ଭୋଟ ପାଇ ରେକର୍ଡ ମାର୍ଜିନରେ ବିଜୟୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଥିବା ଜଣାପଡ଼ିଛି । ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ମମତାଙ୍କ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଛି । ବିଜୟ ପରେ ମମତା କହିଛନ୍ତି, ଆମେ ଏଥର ସମସ୍ତ ୱାର୍ଡରେ ଜିତିଛୁ। ବିଧାନ ସଭା ନିର୍ବାଚନରେ ବହୁ ଷଡଯନ୍ତ୍ର ହୋଇଥିଲା। ସମଗ୍ର ବେଙ୍ଗଲର ନଜର ଭବାନୀପୁର ଉପରେ ଥିଲା। ବିଜୟୀ ପାଇଁ ମୁଁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି ।
ଏହି ବିଜୟ ସହ ମମତା ନିଜ ଦଳର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୦୧୧ ମସିହା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୪୯,୯୩୬ ଭୋଟରେ ପରାଜିତ କରିଥିଲେ। ଆଜି ମମତା ଦଳୀୟ ପ୍ରାର୍ଥୀ ଭାବେ ୫୮ ହଜାରରୁ ଅଧିକ ଭୋଟରେ ଜିତି ୧୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ଗୋଆ ଠାରୁ ତ୍ରିପୁରା ପର୍ଯ୍ୟନ୍ତ ଟିଏମସି ସମର୍ଥକ ଏବଂ କର୍ମୀମାନେ ବିଜୟ ଉତ୍ସବ ପାଳିଛନ୍ତି।
ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏବଂ କଂଗ୍ରେସର କିର୍ତ୍ତୀ ଆଜାଦ ବାନାର୍ଜୀଙ୍କ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପରାଜୟକୁ ସ୍ୱୀକାର କରିବା ସହ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି ଭବାନୀପୁର ରାସ୍ତା ଦେଖାଇଥିବାରୁ ମୁଁ ସନ୍ତୁଷ୍ଟ। ସେ କହିଛନ୍ତି ଯେ, ସମସ୍ତ ଆଖି ଏହି ଆସନରେ ଥିଲା। ମୁଁ ଅଧିକ କାମ କରିବାକୁ ପ୍ରେରଣା ପାଇଛି। ଲୋକଙ୍କ ପାଇଁ। ମୁଁ ବିଜୟ ଚିହ୍ନ (ଭି) ଦେଖାଇବି ନାହିଁ । ବିଜୟ ପାଇଁ ମୁଁ ୩ଟି-ଆଙ୍ଗୁଠି ଚିହ୍ନ ଦେଖାଇବି । କାରଣ ମୁଁ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ। ଜାଙ୍ଗିପୁର ଏବଂ ସାମସରଗୁଞ୍ଜରେ ମୋର ସହକର୍ମୀମାନେ ମଧ୍ୟ ଜିତୁଛନ୍ତି ବୋଲି ସେ କହିଛନ୍ତି।
ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା ।
Powered by Froala Editor