ମୁଁ ବିଜେପିର ‘ଟୁକଡେ଼-ଟୁକଡେ଼’ କରିବି: କହ୍ନେୟା କୁମାର
ନୂଆଦିଲ୍ଲୀ : ଜେଏନୟୁରେ ବିବାଦୀୟ ଛାତ୍ର ଆନେ୍ଦାଳନ ପରଠାରୁ କହ୍ନେୟା କୁମାରଙ୍କୁ ବିଜେପି ସର୍ବଦା ‘ଟୁକଡେ଼-ଟୁକଡେ଼ ଗ୍ୟାଙ୍ଗ’ କହି ଆସୁଥିବା ବେଳେ ଏବେ କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବାପରେ ଏହାକୁ ବିଜେପି ବିରୋଧରେ ପ୍ରୟୋଗ କରିଛନ୍ତି । କହ୍ନେୟା କହିଛନ୍ତି, ବିଜେପି ମତେ ‘ଟୁକଡେ଼ ଟୁକଡେ଼ ଗ୍ୟାଙ୍ଗ’(ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିବା ଗ୍ୟାଙ୍ଗ) କହୁଛି ଏବଂ ମୁଁ ବିଜେପିର ‘ଟୁକଡେ଼-ଟୁକଡେ଼’ କରିବି । ବିଜେପି ଗାନ୍ଧିଙ୍କୁ ନୁହେଁ ଗଡସେଙ୍କୁ ଜାତିର ଜନକ ବୋଲି ବିବେଚନା କରୁଛି ବୋଲି ମତ ଦେଇ କହ୍ନେୟା କହିଛନ୍ତି ଏଭଳି ମାନସିକତାକୁ ବିରୋଧ କରିବାକୁ ପଡ଼ିବ । ଏଥିପାଇଁ କଂଗ୍ରେସ ଦଳକୁ ସବୁଠୁ ସୁଦୃଢ଼ ହେବାକୁ ପଡ଼ିବ । ଯେଉଁମାନେ କେବଳ ନିଜର ରାଜନୈତିକ କ୍ୟାରିୟର କଥା ଚିନ୍ତା କରୁଛନ୍ତି ସେମାନେ ବିଜେପିରେ ଯୋଗ ଦେଉଛନ୍ତି ବୋଲି କହ୍ନେୟା କହିଛନ୍ତି । କଂଗ୍ରେସ ନେତୃତ୍ୱକୁ ଦଳ ଭିତରେ ସମାଲୋଚନା ବିଜେପିକୁ ଫାଇଦା ଦେଉଛି ବୋଲି ସେ କହିଛନ୍ତି । ଯେତେବେଳେ ଦେଶର ସର୍ବବୃହତ ବିରୋଧୀ ଦଳ କଂଗ୍ରେସ ଅଧିକ ସଫଳ ହେବ ସେତେବେଳେ ବିଜେପି ଅଧିକ ପରାଜୟ ସାମ୍ନା କରିବ ।
Powered by Froala Editor