ଭାରତୀୟ ସେୟାର୍ ବଜାରରେ ସର୍ବକାଳୀନ ରେକର୍ଡ : 'ସେନ୍ସେକ୍ସ୍' ୬୦,୦୦୦ ଏବଂ 'ନିଫ୍ଟି' ୧୭,୯୦୦ ଛୁଇଁଲା
ଭାରତୀୟ ସେୟାର୍ ବଜାରରେ ପୁଣି ଗୋଟାଏ ସର୍ବକାଳୀନ ନୂଆ ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ 'ସେନ୍ସେକ୍ସ୍' ୬୦,୦୦୦ ଏବଂ 'ନିଫ୍ଟି' ୧୭,୯୦୦ ଅତିକ୍ରମ କରିଛି। ସେନସେକ୍ସ ୪୨୭ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ୬୦,୩୧୨.୫୧ ଓ ନିଫ୍ଟ ୫୦ ଇଣ୍ଡେକ୍ସ ବଢ଼ି ସର୍ବକାଳୀନ ରେକର୍ଡ ୧୭,୯୪୭ରେ ପହଞ୍ଚିଛି।
ପ୍ରାରମ୍ଭିକ କାରବାରରେ ବ୍ୟାଙ୍କ ଓ ଆଇଟି ସେକ୍ଟରର ଶେୟାର ବୃଦ୍ଧି ହୋଇଛି। ସବୁଠାରୁ ବଡ଼ ଫାଇଦା ପାଇଛି ଇନଫୋସିସ୍। ଏହାର ଶେୟାର ମୂଲ୍ୟ ହଠାତ୍ ବଢ଼ି ଯାଇଛି। ଏହାବାଦ ଏଚଡିଏଫସି ବ୍ୟାଙ୍କ, ଟାଟା କନସଲଟାନ୍ସି ସର୍ଭିସ, ଆଇସିଆଇସିଆଇ ବ୍ୟାଙ୍କ, ଏଚସିଏଲ ଟେକ୍ନୋଲଜି ଭଳି କମ୍ପାନୀ ଲାଭ ପାଇଛନ୍ତି।
ଗତ ଜାନୁଆରି ମାସରେ ପ୍ରଥମ ଥର ପାଇଁ ୫୦,୦୦୦ ପଏଣ୍ଟ୍ ଟପିଥିବା 'ସେନ୍ସେକ୍ସ୍' ମାତ୍ର ୮ ମାସ ମଧ୍ୟରେ ୬୦,୦୦୦ ଟପିଯାଇଛି। ପୂର୍ବେ ଯାହା ଆଶା କରାଯାଉଥିଲା ଆଜିର ଅଗ୍ରଗତି ତା'ଠାରୁ ଢେର୍ ଅଧିକ ସାବ୍ୟସ୍ତ ହୋଇଛି। ଜାନୁଆରିରୁ ଏଯାବତ୍ 'ନିଫ୍ଟି'ର ଅଭିବୃଦ୍ଧି ମଧ୍ୟ ସୁଦୃଢ଼ ରହି ଆସୁଥିଲା।
ଚଳିତ ବର୍ଷ 'ଷ୍ଟକ୍ ମାର୍କେଟ୍' ଅଭିବୃଦ୍ଧିରେ ବ୍ୟାଙ୍କ୍ ବ୍ୟବସାୟ, ଧାତୁ ଏବଂ 'ଆଇଟି ଷ୍ଟକ୍' ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଏହା ବ୍ୟତିରେକେ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଅନୁକୂଳ ନୀତି, ପୂଜାପର୍ବାଣି ସମୟ ଆସୁଥିବାରୁ ଚାହିଦା ବୃଦ୍ଧି ଏବଂ କୋଭିଡ୍-୧୯ ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଯୋଗୁଁ ମଧ୍ୟ 'ଷ୍ଟକ୍' ବା 'ସେୟାର୍' ମାର୍କେଟ୍ର ଉତ୍ଥାନ ସମ୍ଭବପର ହୋଇଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧହାରରେ କୌଣସି ପରିବର୍ତ୍ତନ କରି ନଥିବାରୁ ଭାରତ ସମେତ ଅନ୍ୟ ଦେଶର ସେୟାର ମାର୍କେଟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି ।
Powered by Froala Editor