ଦିଲ୍ଲୀରେ ଲାଗୁ ହେଲା ସପ୍ତାହନ୍ତ କର୍ଫ୍ୟୁ : ସପିଂମଲ୍, ଜିମ୍, ସ୍ପା ବନ୍ଦ
କରୋନା ସଂକ୍ରମଣ ବଢୁଥିବା ବେଳେ ଅରବିନ୍ଦ କେଜ୍ରିଓ୍ୱାଲ ସରକାର ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧନ ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଶ୍ୱାସନା ଦେଇଛନ୍ତି ଯେ, ଦିଲ୍ଲରେ ହସ୍ପିଟାଲର କୌଣସି ଅଭାବ ନାହିଁ ଏବଂ ପର୍ଯ୍ୟାପ୍ତ ଔଷଧ ଯୋଗାଇ ଦେବା ପାଇଁ ଉଦ୍ୟମ କରାଯାଉଛି । ତେବେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଏହାର ଏକ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଶୁକ୍ରବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଜାରି ରହିବ। କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି କୁହାଯାଇଛି। ଏହି ସମୟରେ କର୍ଫ୍ୟୁ ପାସ୍ ଜରିଆରେ ଅନୁମତି ନେଇ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇପାରିବ। ଏହାବ୍ୟତୀତ କର୍ଫ୍ୟୁ ସମୟରେ ସପିଂମଲ୍, ଜିମ୍, ସ୍ପା ଆଦି ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ୩୦ ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ୍। ରେଷ୍ଟୁରାଣ୍ଟରେ ବସି ଖାଇବା ମନା, କେବଳ ହୋମ୍ ଡେଲିଭରିକୁ ଅନୁମତି ଦିଆଯାଇଛି।
ଅପରପକ୍ଷରେ କରୋନା ଆକ୍ରାନ୍ତଙ୍କ ପାଇଁ ବେଡ଼୍ର ଅଭାବ ନାହିଁ। ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ବ ବେଡ଼୍ ଉପଲବ୍ଧ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ସପ୍ତାହର ଶେଷ ଦିନରେ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦିଆଯାଇଛି ।