୩ ଘଣ୍ଟାରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ଅବପାତ
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଧୀରେ ଧୀରେ ଆଗକୁ ବଢ଼ୁଛି। ଗତ ୩ ଘଣ୍ଟାରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ଅବପାତ। ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୧,୧୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ସେହିପରି ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୧,୦୧୦ କିଲୋମିଟର ଦୂରରେ ରହିଛି ଏହି ଅବପାତ। ଏହା ଆଗକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁଇବା ନେଇ ଆକଳନ କରାଯାଉଛି। ତେବେ ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରଟି ଆଜି ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସନ୍ଧ୍ୟା ବେଳକୁ ଦକ୍ଷିଣ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ମଧ୍ୟଭାଗରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ସେହିପରି ୧୭ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧୮ତାରିଖ ପୂର୍ବାହ୍ନରୁ ରାଜ୍ୟରେ ବର୍ଷା ଓ ପବନ ବୋହିବାର ଆଶଙ୍କା ରହିଛି। ତେବେ ବାତ୍ୟାର ରୂପରେଖ ଓ ଗତିପଥ କ’ଣ ରହିବ ତଥା ଏହା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ଆଇଏମଡି ପକ୍ଷରୁ କୌଣସି ପୂର୍ବାନୁମାନ ଏପର୍ଯ୍ୟନ୍ତ ହୋଇନାହିଁ।
ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ସତର୍କ କରାଯାଇଛି।
Powered by Froala Editor