ଝାରପଡ଼ା କାରାଗାରରୁ ମୁକୁଳିଲେ ମୁକୁଳିଲେ ମାଓନେତା ଆଜାଦ
ଭୁବନେଶ୍ବର:ବିଶ୍ବହିନ୍ଦୁ ପରିଷଦ ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା, ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ଓ ପୁଲିସକୁ ହତ୍ୟା ଭଳି ୫୭ଟି ସଂଗିନ୍ ମାମଲାର ଅଭିଯୁକ୍ତ ମାଓନେତା ଡୁନା କେଶବ ରାଓ ଓରଫ୍ ଆଜାଦ କାରାଗାରରୁ ମୁକୁଳିଛନ୍ତି। ଦୀର୍ଘ ୧୫ବର୍ଷ ଧରି ସେ ବନ୍ଦୀ ଜୀବନ ବିତାଉଥିଲେ। ଅଦାଲତ ତାଙ୍କୁ ଦୋଷମୁକ୍ତ କରିବା ପରେ ମଙ୍ଗଳବାର ସେ ଝାରପଡ଼ା କାରାଗାରରୁ ବାହାରିଛନ୍ତି। ଆଜାଦ୍ଙ୍କ ନାମରେ ଆନ୍ଧ୍ରପ୍ରଦେଶରେ ୧୨ଟି ଓ ଓଡ଼ିଶାରେ ୪୫ମାମଲା ଥିଲା। ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଗଜପତି ଜିଲା ପାରଳାଖେମୁଣ୍ଡି ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ସ୍ବତନ୍ତ୍ର ଅଦାଲତ ସ୍ଥାପନ କରାଯାଇଥିଲା। ସେଠାରେ ମାମଲାଗୁଡ଼ିକ ବିଚାର (ଟ୍ରାଏଲ) ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଜାଦଙ୍କ ନାମରେ ଥିବା ସମସ୍ତ ମାମଲାର ବିଚାର କରାଯିବା ପରେ ସେ ନିର୍ଦୋଷ ବୋଲି ଅଦାଲତ କହିଥିଲେ।
ସୂଚନାଯୋଗ୍ୟ, ଆଜାଦ୍ଙ୍କ ଘର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ରେ। ସେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ମୁଖ୍ୟ ସହଯୋଗୀ ବୋଲି କୁହାଯାଉଥିଲା। ସେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସ୍ପେଶାଲ ଜୋନାଲ କମିଟି ମୁଖ୍ୟ ହୋଇ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ମାଲକାନଗିରି ଓ କୋରାପୁଟରେ ସକ୍ରିୟ ଭାବେ କାମ କରୁଥିଲେ। ଆଜାଦଙ୍କ ନାମରେ ଆନ୍ଧ୍ରପ୍ରଦେଶ ପୁଲିସ ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ପରେ ସେ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ୨୦୧୧ ମସିହାରୁ ସେ ଝାରପଡ଼ା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ତାଙ୍କ ନାମରେ ଥିବା ମାମଲା ଅଦାଲତରେ ବିଚାର ହେଉ ନଥିବାରୁ ସେ ବହୁ ଦିନ ହେବ କାରାଗାରରେ ରହି ଆସୁଥିଲେ। ତେଣୁ, ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବା ସହ ଅନଶନରେ ବସିଥିଲେ। ତାଙ୍କ ନାମରେ ଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ସ୍ବତନ୍ତ୍ର ଅଦାଲତ ଗଠନ କରାଯାଇ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା।
Powered by Froala Editor