ମାଷ୍ଟର କ୍ୟାଂଟିନ ଛକରେ ଡଙ୍ଗା ଚଲାଇଲେ ସୁରେଶ କୁମାର ରାଉତରାୟ
ଭୁବନେଶ୍ୱର : ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପ୍ରଦେଶ ଛାତ୍ର କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ପକ୍ଷରୁ ବର୍ଷା ଦିନରେ ଭୁବନେଶ୍ୱର ଦୟନୀୟ ପରିସ୍ଥିତି ପ୍ରସଙ୍ଗରେ ମାଷ୍ଟର କ୍ୟାଂଟିନ ଛକରେ ଡଙ୍ଗ ଚଲାଯାଇଥିଲା । ମୁଖ୍ୟତଃ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏକ ବଡ଼ ଡଙ୍ଗାକୁ ମାଷ୍ଟର କ୍ୟାଂଟିନ ଛକରେ ରଖି ସେହି ଡଙ୍ଗା ଉପରେ ରହି ବର୍ଷାଦିନେ ଭୁବନେଶ୍ୱରର ବିଭିନ୍ନ ଅଂଚଳର ଦୁରାବସ୍ଥା ସମ୍ପର୍କରେ ବର୍ଣ୍ଣନା କରିବା ସହ ଯାତାୟତ ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ “ମୋ ଡଙ୍ଗା ଯୋଜନା” କରନ୍ତୁ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ । ଶ୍ରୀ ରାଉତରାୟ କହିଲେ ଯେ ନବୀନ ସରକାରର ୨୧ ବର୍ଷରେ ଭୁବନେଶ୍ୱର ରାସ୍ତାଘାଟ ଅତି ଶୋଚନୀୟ ହୋଇପଡ଼ିଛି । ମାଲକାନଗିରିର ରାସ୍ତା ଠାରୁ ଭୁବନେଶ୍ୱରର ରାସ୍ତା ଖରାପ । ବିଭିନ୍ନ ଯୋଜନାରେ ଭୁବନେଶ୍ୱରର ଗଳି ରାସ୍ତା ଏବଂ ମୁଖ୍ୟ ରାସ୍ତା ସଜାଡ଼ିବା ପାଇଁ କୋଟି କୋଟି ଅର୍ଥ ବ୍ୟୟ ହୋଇଥିଲେ ବି ବିଜେଡ଼ି ସରକାରର ବାଟବାରଣା ନୀତି ପାଇଁ ରାସ୍ତା ଘାଟ ଅବସ୍ଥାର ପରିବର୍ତନ ହେଉନାହିଁ । ମୁଖ୍ୟତଃ ବେଙ୍ଗ ମୁତିଲେ ଭୁବନେଶ୍ୱରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଜଳନିଷ୍କାସନର ବ୍ୟବସ୍ଥା ନାହିଁ । ପ୍ରାକୃତିକ ଜଳାଧାର ସବୁ ବନ୍ଦ କରି ଅଟ୍ଟାଳିକା ହେବାଦ୍ୱାରା ରାସ୍ତାଘାଟରେ ପାଣି ଜମି ରହୁଛି । ପ୍ରତିବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ମାତ୍ର ସରକାର ସ୍ଥାୟୀ ପ୍ରତିକାର କରୁନାହାଁନ୍ତି । ଲୋକଙ୍କ ଘରେ ମଧ୍ୟ ପାଣିପସୁଛି । ବିଶେଷ କରି ଇସ୍କନ ମନ୍ଦିର ପାଖ, ନୂଆପଲ୍ଲି, ବମିଖାଲ, ଜନପଥ, ବାପୁଜୀ ନଗର, ଏରୋଡ୍ରମ ଏରିଆ, ବିଜେପି ନଗର, ଡୁମୁଡୁମା ପ୍ରଭୃତି ଅଂଚଳରେ ବର୍ଷାଜନିତ ପରିସ୍ଥିତି ଅତି ଦୟନୀୟ । ଲୋକେ ଘରୁ ପଦାକୁ ବାହାରିପାରୁ ନାହାଁନ୍ତି । ଏବଂ ପଦାରୁ ଘରକୁ ଆସି ପାରୁନାହାଁନ୍ତି । ଏଣୁ ଯିବାଆସିବା ପାଇଁ ସରକାର ସମୁଦାୟ ୬୭ଟି ୱାର୍ଡ ନିମନ୍ତେ ଡଙ୍ଗା ବ୍ୟବସ୍ଥା କରନ୍ତୁ ବୋଲି ଜଟଣୀ ବିଧାୟକ ଶ୍ରୀ ରାଉତରାୟ ପ୍ରସ୍ତାବ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ସୁବ୍ରତ ମହାପାତ୍ର,ଦୀପକ କୁମାର ମହାପାତ୍ର, ଲିଙ୍ଗରାଜ ସାହୁ, ଆତ୍ମାରାମ ପତି, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, କୁନା ମୁଦୁଲି, ଜୟକୃଷ୍ଣ ସୁବୁଦ୍ଧି, ମୋହନ ଜେନା, ମିହିର ଆଚାର୍ଯ୍ୟ, ସ୍ୱାଗତ କର, ରଞ୍ଜିତ ପାତ୍ର, ଅଶୋକ ଦାସ, ସୌମେନ୍ଦ୍ର ମହାନ୍ତି, ଶ୍ରୀଧର ବଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ଅନୱର ଖାନ, କୁସୁମ ପ୍ରଧାନ, ସାଗର ପଟ୍ଟନାୟକ, କାର୍ତିକ କାଣ୍ଡି ଏହମ୍ମଦ ଖାନ, ରଣଜିତ ସେନାପତି, ଅବିିନାଶ ନନ୍ଦ, ନିଳମଣି ମିଶ୍ର, ଏମଡି ଶାହାଦୁଲ୍ଲା, କୁଳମଣି ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Powered by Froala Editor