ଶ୍ରୀମନ୍ଦିର ଗର୍ଭଗୃହର ହେବ ଲେଜର ସ୍କାନିଂ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଗର୍ଭଗୃହ, ରତ୍ନସିଂହାସନ, ନାଟ ମଣ୍ଡପ ଏବଂ ଭୋଗମଣ୍ଡପ ଗୃହର ହେବ ଲେଜର ସ୍କାନିଂ । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବୋକ୍ଷଣ ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟ କରାଯିବ । ଲେଜର ସ୍କାନିଂ ଦ୍ୱାରା ସେ ସବୁ ସ୍ଥାନରେ ରହିଥିବା ଛାତ ଓ ପଥରର ସ୍ଥିତି ସମେତ ଫାଟ ସମ୍ପର୍କରେ ଜଣାପଡ଼ିବ ବୋଲି ଏଏସଆଇ ଅଧୀକ୍ଷକ ଡ.ଅରୁଣ କୁମାର ମଲିକ ପ୍ରକାଶ କରିଛନ୍ତି । ଆଗାମୀ ୧୪ ତାରିଖ ଦିନ ଶ୍ରୀମନ୍ଦିର ବୈଷୟିକ କୋର କମିଟି ସଭ୍ୟମାନେ ଶ୍ରୀମନ୍ଦିର ବିଭିନ୍ନ ସ୍ଥାନ ଯାଞ୍ଚ କରିବେ । ସେମାନଙ୍କ ସୁପାରିସକୁ ଭିତ୍ତି କରି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପୂର୍ବରୁ ଜରୁରୀ ମରାମତି କାର୍ଯ୍ୟ କରାଯିବ । ଶ୍ରୀମନ୍ଦିରରେ ପ୍ରଥମ ଥର ପାଇଁ ଲେଜର ସ୍କାନିଂ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଏସଆଇ ଅଧିକାରୀ ଡ.ମଲିକଙ୍କ ନେତୃତ୍ୱରେ କେତେକ ବିଶେଷଜ୍ଞ ଶନିବାର ଶ୍ରୀମନ୍ଦିରକୁ ଯାଇ ସ୍ଥାନ ପରିଦର୍ଶନ କରିଛନ୍ତି ।
Powered by Froala Editor