ଏ ଯୁଗରେ ବି ଏମିତିି ନିର୍ଯାତନା, ଦମ୍ପତିଙ୍କୁ ଖୁଆଇଲେ ବିଷ୍ଠା

ଯୁଗ କେତେ ଆଗକୁ ଗଲାଣି । ହେଲେ ଲୋକଙ୍କ ଭାବନା ଆଗକୁ ବଢିପାରୁନି । ଯାହାର ଉଦାହରଣ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତର ଖୁଣ୍ଟିଆପଲା ଗାଁରେ । ବିସ୍ଥାପିତ ହୋଇ ଦୀର୍ଘ ବର୍ଷରୁ ଏହି ଗାଁରେ ରହୁଥିବା ଏକ ଦମ୍ପତି ବୁଦୁ ଗଉଡ଼ ଓ ବଇଦି ଗଉଡ଼ଙ୍କୁ ବାସନ୍ଦ କରାଯାଇଛି । ଏପରିକି ସେମାନଙ୍କୁ ଡାଆଣୀ ସନ୍ଦେହରେ ବିଷ୍ଠା ଖୁଆଯାଇଥିବା ଅଭିଯୋଗ ହୋଇଛି । ଶେଷରେ ଅତି ଅତିଷ୍ଠ ହୋଇ ବୁଧବାର ଦମ୍ପତି ଜିଲ୍ଲାପାଳ ଭି. କୀର୍ତ୍ତିଭାସନଙ୍କୁ ଭେଟି ସବୁ କଥା କହିଛନ୍ତି ।
ବୁଦୁଙ୍କ କହିବାନୁଯାୟୀ, ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀର କୁଡ଼ମୁଲିରୁ ସେମାନଙ୍କୁ ୨୦ ବର୍ଷ ତଳେ ବିସ୍ଥାପିତ କରାଯାଇଥିଲା । ତା ପରଠୁ ଖୁଣ୍ଟିଆପଲା ଗାଁକୁ ଆସି ରହୁଛନ୍ତି । ୨୦ ହଜାର ଟଙ୍କା ଖର୍ଚ୍ଚରେ ଏକ କୁଡ଼ିଆ କରିଛନ୍ତି । କିନ୍ତୁ ରହିବା ଦିନଠୁ ହିଁ ସେମାନଙ୍କୁ ସେଠାକାର ଲୋକ ଆଡ ଆଖିରେ ଚାହୁଁ ନାହାନ୍ତି । ନିଆଁପାଣି ବାସନ୍ଦ କରାଯାଇଛି । ସେମାନଙ୍କ ସହ କେହି କଥାବାର୍ତ୍ତା କରୁନାହାନ୍ତି । ନଳକୂଅ ଛୁଇବାକୁ ମନା କରାଯାଇଛି । ଏତିକିରେ ସରିନି ନିର୍ଯାତନା ।
ପତ୍ନୀ ବଇଦିଙ୍କୁ ଡାଆଣୀ ଏବଂ ତାଙ୍କୁ ଗୁଣିଆ ବୋଲି କହୁଛନ୍ତି ଲୋକମାନେ । କିଛି ବର୍ଷ ତଳେ ଉଭୟଙ୍କୁ କେତେକ ଲୋକ ଆକ୍ରମଣ କରିଥିଲେ । ଆକ୍ରମଣରୁ ରକ୍ଷା ପାଇବା ଲାଗି ବୁଦୁ ଦୌଡ଼ି ପଳାଇଥିବା ବେଳେ ବଇଦିଙ୍କୁ ଗାଁର ଲୋକ ହାତଗୋଡ଼ ବାନ୍ଧି ବିଷ୍ଠା ଖୁଆଇ ଦେଇଥିଲେ । ଶେଷରେ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ବିସିଂହପୁର ସରପଞ୍ଚ କହିଛନ୍ତି, ବହୁଦିନ ଆଗରୁ ଏ ବିବାଦ ସୃଷ୍ଟି ହୋଇ ଥାନାକୁ ଯାଇଥିଲା । ସେଠାରେ ବୁଝାସୁଝା ହୋଇଥିଲା । କିନ୍ତୁ ବୁଝାସୁଝା ପରେ ବି ଦମ୍ପତି ଗାଁର କୌଣସି ଉପଦେଶ ମାନୁ ନାହାନ୍ତି ।
Powered by Froala Editor