ମହାକାଶରୁ ଏମିତି ଦେଖାଯାଉଛି ମହାକୁମ୍ଭ ମେଳା, ଇସ୍ରୋ ଜାରି କଲା ଫଟୋ

ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାରୋହ ମହାକୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି। ତେବେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ଏକ ରାଡାର ଇମେଜିଂ ସାଟେଲାଇଟ୍ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାର ଫଟୋ ପଠାଇଛି।
କୁମ୍ଭମେଳା ପାଇଁ ପ୍ରସ୍ତୁତି ପୂର୍ବରୁ ଓ ପ୍ରସ୍ତୁତି ପରେ କେମିତି ଦେଖାଯାଉଛି ପ୍ରୟାଗରାଜର ସଂଗମ ସ୍ଥଳ ସେହି ଫଟୋ ଜାରି କରିଛି ଇସ୍ରୋ । କୁମ୍ଭ ପାଇଁ ଉତ୍ତର ପ୍ରଦେଶ ସରକାର ନିର୍ମାଣ କରିଥିବା ଭିତ୍ତିଭୂମିର ପରିମାଣ ଇସ୍ରୋର ସାଟେଲାଇଟ ଇମେଜରେ ଦେଖିବାକୁ ମିଳିଛି । ଏହି ଫଟୋ ଉଠାଇବା ପାଇଁ ସୋଫିଷ୍ଟିକେଟେଡ୍ ଅପଟିକାଲ ସାଟେଲାଇଟ, ଡେ ଆଣ୍ଡ ନାଇଟ୍ ଭିୟୁ ରାଡାରସାଟ୍ ବ୍ୟବହାର ହୋଇଛି । ଇସ୍ରୋର ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ରିପୋର୍ଟ ସେନସେସିଂ ସେଣ୍ଟର ପକ୍ଷରୁ ଏହି ସବୁ ଫଟୋ ଉଠାଯାଇଛି ।
ହାଇଦ୍ରାବାଦରେ ଥିବା ଇସ୍ରୋର ଜାତୀୟ ରିମୋର୍ଟ ସେନ୍ସିଂ ସେଣ୍ଟର (ଏନ୍ଆର୍ଏସ୍ସି) ପକ୍ଷରୁ ‘ରାଡାରସେଟ-ରିସାଟ ୧ଏ’ ଦ୍ୱାରା ମହାକାଶରୁ ନିଆଯାଇଥିବା ୨ଟି ସାଟେଲାଇଟ୍ ଫଟୋକୁ ବୁଧବାର ଜାରି କରାଯାଇଛି।
ସାଟେଲାଇଟ୍ ଚିତ୍ରରେ ମହାକୁମ୍ଭରେ ନିର୍ମିତ ଅସ୍ଥାୟୀ ଟେଣ୍ଟ ସିଟି, ନଦୀ ଉପରେ ନିର୍ମିତ ପାଣ୍ଟୁନ ବ୍ରିଜ୍ ଓ ସଙ୍ଗମ ଆଦି ଦୃଶ୍ୟମାନ ହେଉଛି। ସେହିପରି ମେଳାରେ ନିର୍ମିତ ବିଶାଳ ଢାଞ୍ଚାକୁ ମଧ୍ୟ ଏହି ଫଟୋରେ ଦେଖିବାକୁ ମିଳିଛି। ସାଟେଲାଇଟ୍ ଚିତ୍ରରେ ପ୍ରୟାଗରାଜର ପରେଡ ଗ୍ରାଉଣ୍ଡ ସହ ନୂତନ ଶିବାଳୟ ପାର୍କର ନିର୍ମାଣ କାର୍ଯ୍ୟ ମଧ୍ୟ ସ୍ଥାନ ପାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ବିଭିନ୍ନ ନୂତନ ଜ୍ଞାନ କୌଶଳ ଦ୍ୱାରା ଇସ୍ରୋ ପକ୍ଷରୁ ଜାରି ହେଉଥିବା ସାଟେଲାଇଟ୍ ଫଟୋଗୁଡ଼ିକର ସହାୟତାରେ ମହାକୁମ୍ଭ ମେଳାର ପରିଚାଳନା ସମେତ ବିପର୍ଯ୍ୟୟ ଓ ଦଳାଚକଟାକୁ ରୋକିବା ଦିଗରେ ସ୍ଥାନୀୟ ପ୍ରଶାସନକୁ ସହାୟତା ମିଳୁଛି।
Powered by Froala Editor