ପେଟ୍ରୋଲ ଢ଼ାଳି ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପରଭଣି ଜିଲ୍ଲାର ଗାଓଁଖେଡ଼ା ଅଞ୍ଚଳ। ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳି ଦେଇଛି। ସ୍ତ୍ରୀ ତୃତୀୟ ଝିଅକୁ ଜନ୍ମ ଦେଇଥିବାରୁ ଜହ୍ଲାଦ ପାଲଟି ଯାଇଛି ସ୍ୱାମୀ। ଡିସେମ୍ବର ୨୬ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଶନିବାର ପୁଲିସ ଏନେଇ ସୂଚନା ଦେଇଛି।ସୂଚନା ମୁତାବକ, ୩୪ ବର୍ଷୀୟ ମୈନା କୁଣ୍ଡଲିକ୍ କାଲେଙ୍କ ପୂର୍ବରୁ ଦୁଇଟି ଝିଅ ଥିଲା। କିଛି ଦିନ ତଳେ ସେ ତୃତୀୟ ଝିଅକୁ ଜନ୍ମ ଦେଇଥିଲେ। ଏହାକୁ ନେଇ ସ୍ୱାମୀ କୁଣ୍ଡଲିକ ଉତ୍ତମ କାଲେ ରାଗି ଯାଇଥିଲେ। ତିନୋଟି ଝିଅ ଜନ୍ମ କରିଥିବାରୁ ସ୍ତ୍ରୀକୁ ସେ ପ୍ରତିଦିନ ଗାଳିଗୁଲଜ କରୁଥିଲେ। କେବଳ ସେତିକି ନୁହେଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲଗାତର ଝଗଡ଼ା ହେଉଥିଲା। କୁଣ୍ଡଲିକ ଉତ୍ତମ ମୈନାଙ୍କୁ ମାର୍ପିଟ୍ ମଧ୍ୟ କରୁଥିଲେ।
ତେବେ ଡିସେମ୍ବର ୨୬ ତାରିଖ ରାତିରେ ଏହି ବିବାଦ ବଢ଼ି ଯାଇଥିଲା। କୁଣ୍ଡଲିକ୍ ଉତ୍ତମ ରାଗରେ ସ୍ତ୍ରୀ ମୈନା ଉପରେ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳି ଦେଇଥିଲେ। ନିଆଁ ଲାଗିବା ମାତ୍ରେ ମହିଳା ଜଣକ ଚିତ୍କାର କରି ଦୌଡିବାକୁ ଲାଗିଥିଲେ। ଆଖପାଖର ଲୋକମାନେ ଦୌଡି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ବହୁତ କଷ୍ଟରେ ଲିଭିଥିଲା, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଗୁରୁତର ଭାବେ ଜଳିଯାଇଥିବା ମୈନାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor