ସପ୍ତାହ ନପୁରୁଣୁ ୧୦୦୦ କୋଟି ପାର୍ କଲା ପୁଷ୍ପା-୨
ସପ୍ତାହ ନପୁରୁଣୁ, ‘ପୁଷ୍ପା ୨: ଦ ରୁଲ୍’ ବେପାର ହଜାର କୋଟି ପାର୍ କରିଛି। ମାତ୍ର ୬ ଦିନରେ ୧୦୦୦ କୋଟି ପାର୍ କରିଛି ଏହି ଫିଲ୍ମ। ପ୍ରଥମ ଥର ପାଇଁ ଭାରତୀୟ ସିନେମା ଇତିହାସରେ କୌଣସି ଫିଲ୍ମ ମାତ୍ର ୬ ଦିନରେ ହଜାରେ କୋଟି ବକ୍ସ ଅଫିସ୍ କଲେକ୍ସନ କରିଛି। ଏହା ପୂର୍ବରୁ କୌଣସି ଭାରତୀୟ ଚଳଚ୍ଚିତ୍ର ଦର୍ଶକଙ୍କ ଭିତରେ ଏଭଳି କ୍ରେଜ ଭରିପାରିନଥିଲା। ଏହି ଫିଲ୍ମ ପ୍ରଥମ ଦିନରେ ୧୬୪.୨୫ କୋଟି, ଦ୍ୱିତୀୟ ଦିନରେ ୯୩.୮ କୋଟି ଓ ତୃତୀୟ ଦିନରେ ୧୧୫ କୋଟି ବେପାର କରିଥିଲା।
ପ୍ରଥମ ତିନି ଦିନରେ ୩୮୩.୭ କୋଟି ଟଙ୍କା ହୋଇଥିବା ବେଳେ ପର ତିନିଦିନରେ ୬୧୯ କୋଟି ବେପାର ହୋଇଛି। କେବଳ ଭାରତରେ ୭୦୩ କୋଟି ଟଙ୍କା ଏବଂ କେବଳ ହିନ୍ଦୀ ଭାଷାରେ ୩୭୦ କୋଟି ଟଙ୍କା ଆୟ କରି ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଛି।
ଏହା ସହିତ ପ୍ରଥମ ଥର ପାଇଁ କୌଣସି ଦକ୍ଷିଣ ଭାରତୀୟ ସିନେମା ପାଇଁ ସାରା ଦେଶରେ ଏତେ କ୍ରେଜ୍ ଦେଖିବାକୁ ମିଳିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ଓଡ଼ିଶାର ବିଭିନ୍ନ ସିନେମା ହଲରେ ଏବେ ବି ପୁଷ୍ପା-୨ ହାଉସ୍ ଫୁଲ୍ ଶୋ ଚାଲିଛି।
ରାଜଧାନୀରେ ଏହି ଫିଲ୍ମରେ ୧୦୧ଟି ସୋ’ ଲାଗିଛି। କେବଳ ଏସ୍ପ୍ଲାନେଡରେ ସର୍ବାଧିକ ୧୮ଟି ସୋ ଲାଗିଛି। ଟିକେଟ୍ ଦର ପୂର୍ବାପେକ୍ଷା ୫୦ରୁ ୧୦୦ ଟଙ୍କା କମିଛି। ସକାଳୁ ବିଳମ୍ବିତ ରାତି ଯାଏ ପ୍ରାୟ ସବୁ ସୋ ହାଉସ୍ ଫୁଲ୍ ରହୁଛି।
‘ପୁଷ୍ପା ୨’ ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଯାହା ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିଛି। ଫିଲ୍ମ ବିଷୟରେ କହିବାକୁ ଗଲେ ‘ପୁଷ୍ପା: ଦି ରାଇଜ୍’ ପରେ ଅଲୁ ଅର୍ଜୁନଙ୍କ ଚରିତ୍ର ପୁଷ୍ପା ରାଜର କାହାଣୀ ମଧ୍ୟ ‘ପୁଷ୍ପା ୨: ଦି ରୁଲ୍’ରେ ଆଗକୁ ବଢୁଛି। ପ୍ରଥମ ଭାଗରେ ସେ ଜଣେ ଚନ୍ଦନ ଚୋରା ଚାଲାଣକାରୀ, ପୂର୍ବରୁ ଯାହାଙ୍କ ପାଖରେ କିଛି ନଥିଲା କିନ୍ତୁ ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରିର ରାଜା ହୋଇଯାଇଛନ୍ତି। କିନ୍ତୁ ଦ୍ୱିତୀୟ ଭାଗରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦ୍ୱିତୀୟ ଭାଗରେ ଏସ୍ପି ଭୱର ସିଂହ ଶେଖାୱତଙ୍କ ଭୂମିକାରେ ଫହାଦ୍ ଫସିଲ ନଜର ଆସିଛନ୍ତି।
Powered by Froala Editor