ପ୍ରେମିକାକୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ନେଇଗଲା ୨.୭୫ କୋଟି

ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତରଫଟୋ ଭାଇରାଲ କରି ଦେବାର ଧମକ ଦେଇ ୨.୫୭ କୋଟି ଟଙ୍କା ନେଇଥିବା ଜଣେ ଯୁବଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ। ଅଭିଯୁକ୍ତଙ୍କ ନାଁ ମୋହନ କୁମାର (୨୨)। ଘଟଣାଟି ହେଉଛି ବେଙ୍ଗାଲୁରୁର। ପ୍ରେମିକାଙ୍କ ସହିତ ଅନ୍ତରଙ୍ଗ ହେବାର ଭିଡିଓକୁ ବ୍ୟବହାର କରି ପ୍ରେମିକ ଜଣକ ପ୍ରେମିକାଙ୍କଠାରୁ ଅଳଙ୍କାର, ଦାମୀ ଘଣ୍ଟା ଏବଂ ଏପରିକି ବିଳାସମୟ କାର ଆଦି ହାତେଇଥିବା ଅଭିଯୋଗ ହୋଇଛି। ଏପରି ଦୀର୍ଘ ମାସ ଚାଲିବା ପରେ ଶେଷରେ ପ୍ରେମିକ ଜଣକ ପୁଲିସ୍ ହାତରେ ଧରାପଡ଼ିଛି।
ଉଭୟ ଅଭିଯୁକ୍ତ ଓ ୨୦ ବର୍ଷୀୟା ଯୁବତୀ ଗୋଟିଏ ବୋର୍ଡିଂ ସ୍କୁଲରେ ପଢୁଥିଲେ। କିନ୍ତୁ ସ୍କୁଲ ପଢ଼ା ଶେଷ ହେବା ପରେ ସେମାନଙ୍କ ମଧ୍ୟରେ ଆଉ ଯୋଗାଯୋଗ ନଥିଲା। ତା’ପରେ କିଛି ବର୍ଷ ହେବ ସେମାନେ ପୁଣି ସଂପର୍କରେ ଆସିଥିଲେ। ସେମାନେ ପରସ୍ପରକୁ ଡେଟ୍ କରୁଥିଲେ। ମୋହନ କୁମାର ତାଙ୍କୁ ବିବାହ ହେବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ଆଉ ସୁଯୋଗ ଦେଖି ସେହି ସବୁ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଓ ଭିଡିଓ ଉତ୍ତୋଳନ କରି ପାଖରେ ରଖିଥିଲେ।
ସେମାନେ ଶାରୀରିକ ସଂପର୍କ ସ୍ଥାପନ କରିବା ବେଳେ ଯୁବକ ତାହାକୁ ଭିଡିଓ କରିଥିଲେ। ସେହି ଭିଡିଓ ସେ କେବଳ ନିଜ ଖୁସି ପାଇଁ କରୁଛନ୍ତି ବୋଲି ଯୁବତୀଙ୍କୁ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ତାହାକୁ ବ୍ୟବହାର କରି ଯୁବତୀଙ୍କୁ ବ୍ଲାକ୍ମେଲ୍ କରିଥିଲେ।
ଭିଡିଓ ଭାଇରାଲ ହୋଇଯିବା ଭୟରେ ଯୁବତୀ ଜଣଙ୍କ ତାଙ୍କୁ ପ୍ରଥମେ ୧.୨୫ କୋଟି ଟଙ୍କା ଦେଇଥିଲେ। ସେ ତାଙ୍କ ଜେଜେ ମା’ଙ୍କ ଆକାଉଣ୍ଟରୁ ଏହି ଟଙ୍କା ଅଭିଯୁକ୍ତ ମୋହନ କୁମାରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପରେ ସେ ନଗଦ ୧.୩୨ କୋଟି ଟଙ୍କା ଦେଇଥିଲେ। ଏତିକିରେ ଅଭିଯୁକ୍ତଙ୍କ ମନ ପୂରି ନଥିଲା। ତାଙ୍କ ଲୋଭ ବଢ଼ି ଯାଇଥିଲା। ସେ ଯୁବତୀଙ୍କୁ ବିଭିନ୍ନ ସମୟରେ ଦାମୀ କାର, ଘଣ୍ଟା ଓ ସୁନାଗହଣା ଦେବାକୁ ବାଧ୍ୟ କରୁଥିଲେ। ବ୍ଲାକମେଲ ଅସହ୍ୟ ହେବା ପରେ ଯୁବତୀ ଜଣଙ୍କ ବେଙ୍ଗାଲୁରୁ ପୁଲିସର ଦ୍ୱାରସ୍ଥ ହୋଇଥିଲେ।
Powered by Froala Editor