ଡିଜିପି ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି ସମ୍ମିଳନୀ ଶୁକ୍ରବାର ଠାରୁ ଲୋକସେବା ଭବନରେ ଆରମ୍ଭ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଉଦଘାଟନ କରିଛନ୍ତି । ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି ପୁଲିସ ଡିଜି ସମ୍ମିଳନୀରେ ଦ୍ୱିତୀୟ ଓ ତୃତୀୟ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଜିରୋ ଟଲେରାନ୍ସ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଜିରୋ ଟଲେରାନ୍ସ ଷ୍ଟ୍ରାଟେଜୀ ଓ ଜିରୋ ଟଲେରାନ୍ସ ଆକ୍ସନ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି ।
ନଭେମ୍ବର ୨୯ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନୂଆ ଅପରାଧ ଆଇନ, ନାର୍କୋଟିକ୍ସ ସମେତ ଜାତୀୟ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ। ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ମଧ୍ୟ ଏହି ସମ୍ମିଳନୀରେ ପ୍ରଦାନ କରାଯିବ।
ଏହି ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସମେତ ସମସ୍ତ ରାଜ୍ୟର ପୁଲିସ ଡିଜି, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗ ଦେଇଛନ୍ତି । ଏହାସହିତ ଦେଶର ବିଭିନ୍ନ ରାଜ୍ୟର ବରିଷ୍ଠ ପୁଲିସ ଅଫିସରମାନେ ଭର୍ଚୁଆଲ ମୋଡରେ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି ।
Powered by Froala Editor