ବଦଳିଲା ୟୁପି, ପଞ୍ଜାବ ଓ କେରଳ ଉପ ନିର୍ବାଚନ ତାରିଖ : ଗଣତି ଓ ରେଜଲ୍ଟ ତାରିଖ ଅପରିବର୍ତ୍ତିତ
ନିର୍ବାଚନ ଆୟୋଗ ସୋମବାର ଉତ୍ତରପ୍ରଦେଶ, ପଞ୍ଜାବ ଓ କେରଳ ବିଧାନସଭା ଉପନିର୍ବାଚନ ତାରିଖକୁ ନଭେମ୍ବର ୧୩ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏକାଧିକ ରାଜନୀତିକ ଦଳର ଅନୁରୋଧକ୍ରମେ ଭାରତୀୟ ନିର୍ବାଚନ କମିଶନ ୧୪ଟି ବଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ତାରିଖ ବଦଳାଇ ଦେଇଛନ୍ତି। ଏବେ ଉତ୍ତରପ୍ରଦେଶର ୯ଟି, ପଞ୍ଜାବର ୪ଟି ଏବଂ କେରଳର ଗୋଟିଏ ଆସନରେ ମତଦାନ ୨୦ ତାରିଖରେ ହେବ।
ଭୋଟିଂ ତାରିଖ ବଦଳିଥିଲେ ହେଁ ଗଣତି ଓ ରେଜଲ୍ଟ ପ୍ରକାଶ ତାରିଖ ଅପରିବର୍ତ୍ତିତ ରହିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସହ ଏହି ସବୁ ଆସନର ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ।
କଂଗ୍ରେସ, ଭାରତୀୟ ଜନତା ପାର୍ଟି (ବିଜେପି), ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ସମେତ ବିଭିନ୍ନ ଦଳ କେତେକ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନିର୍ବାଚନ ପୁନଃନିର୍ଦ୍ଧାରଣ କରିବାକୁ ଆୟୋଗଙ୍କୁ ଅନୁରୋଧ କରିଥିଲେ । ସେମାନେ କହିଥିଲେ ଯେ ନଭେମ୍ବର ୧୩ରେ ନିର୍ବାଚନ ଆୟୋଜନ କଲେ ମତଦାନ ପ୍ରତିଶତ ପ୍ରଭାବିତ ହୋଇପାରେ। ଏଣୁ ତାରିଖ ବଦଳାଯାଉ ।
ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ କେରଳର ପାଲକ୍କଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟାରେ ଭୋଟର କଲପତି ରଥୋତ୍ସବମ ପର୍ବ ପାଳନ କରିବେ ବୋଲି କଂଗ୍ରେସ କହିଥିଲା। ନଭେମ୍ବର ୧୫ରେ ପଞ୍ଜାବରେ ଶ୍ରୀ ଗୁରୁ ନାନକ ଦେବଙ୍କ ୫ତମ ପ୍ରକାଶ ପର୍ବ ଏବଂ ନଭେମ୍ବର ୧୩ରୁ ଅଖଣ୍ଡ ପଥ ପାଳନ କରାଯିବ ବୋଲି ଦଳ କହିଛି। ବିଜେପି, ବିଏସପି ଏବଂ ଆରଏଲଡି କହିଛନ୍ତି ଯେ ଉତ୍ତରପ୍ରଦେଶରେ କାର୍ତ୍ତିକ ପୂର୍ଣ୍ଣିମାର ୩-୪ ଦିନ ପୂର୍ବରୁ ଲୋକମାନେ ଧାର୍ମିକ ଯାତ୍ରା କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୧୫ରେ ହେବ। ଉତ୍ସବ ଯୋଗୁ ଭୋଟ ହାର ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ମଧ୍ୟ ଦଳଗୁଡ଼ିକ ଆଶଙ୍କା କରିଥିଲେ। ଏବେ ସେମାନଙ୍କ ପ୍ରସ୍ତାବକୁ ଗ୍ରହଣ କରି ନିର୍ବାଚନ କମିଶନ ଭୋଟିଂ ତାରିଖ ବଦଳାଇ ଦେଇଛନ୍ତି।
Powered by Froala Editor