ମୁଁ ନିର୍ଦ୍ଦୋଷ, ସେମିନାର ରୁମ୍ରେ ଡାକ୍ତରଙ୍କୁ ରକ୍ତାକ୍ତ ଦେଖି ପଳାଇ ଆସିଥିଲି : ସଞ୍ଜୟ
କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଚାଞ୍ଚଲ୍ୟକର ବୟାନ ଦେଇଛି । ସଞ୍ଜୟ ରୟ ତାଙ୍କ ଓକିଲ କବିତା ସରକାରଙ୍କୁ କହିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ଏଥିରେ ତାଙ୍କୁ ଫସାଇ ଦିଆଯାଉଛି। ପୂର୍ବରୁ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିଥିବା ସଞ୍ଜୟ ଏବେ ତା’ର ବୟାନ ବଦଳାଇଛି। ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ସେମିନାର ରୁମରେ ପହଞ୍ଚିଲା ବେଳକୁ ମହିଳା ଡାକ୍ତର ରକ୍ତାକ୍ତ ଅବସ୍ଥାରେ ସେଠାରେ ତଳେ ପଡ଼ି ରହିଥିଲେ ବୋଲି କହିଛି।
ସଞ୍ଜୟ ସହ କଥା ହୋଇ ସାରିବା ପରେ କବିତା ସରକାର ସୂଚନା ଦେଇଛନ୍ତି ସେ ପଲିଗ୍ରାଫ ଟେଷ୍ଟରେ ମଧ୍ୟ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା। ସଞ୍ଜୟକୁ ୧୦ଟି ପ୍ରଶ୍ନ ପଚରା ଯାଇଥିଲା। ଏହା ମଧ୍ୟରେ ଦୁଷ୍କର୍ମ ଓ ହତ୍ୟା ପରେ ସେ କ’ଣ ସବୁ କରିଥିଲା, ସେସବୁ ପ୍ରଶ୍ନ ଥିଲା।
ଗୋଟିଏ ପଟେ ସଞ୍ଜୟ ନିଜକୁ ନିର୍ଦ୍ଦୋଷ କହୁଥିବା ବେଳେ ଏବେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି। ଏବେ ପଶ୍ଚିମବଙ୍ଗ ଡାକ୍ତର ଫୋରମର ଉପଦେଷ୍ଟା ଡାକ୍ତର କୌଶିକ ଲାହିରି ରବିବାର କହିଛନ୍ତି ଯେ ଆର.ଜି କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟା ପୀଡିତା ଅନେକ କିଛି ଜାଣିଥିଲେ ଏବଂ ଚୁପ ରହିଥିଲେ। ଲାହିରି କହିଛନ୍ତି, ସେ କ’ଣ ପାଇଁ ସଂଘର୍ଷ କରୁଛନ୍ତି ସେ ସବୁବେଳେ ବୁଝାଇବାକୁ ଚେଷ୍ଟା କରିଥିଲେ। ସେ ଏକୁଟିଆ ନଥିଲେ। ଅନେକ ଯୁବକ ଓ ବରିଷ୍ଠ ଡାକ୍ତର ମଧ୍ୟ ସମାନ ଅପରାଧର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ନିରବତାର ସହ ସହି ଯାଇଥିଲେ। ଝିଅଟି ଚେଷ୍ଟା କରିଥିଲା ତା’ର ନୀରବତା ଭାଙ୍ଗିବାକୁ। ହେଲେ ତାହା ବୋଧହୁଏ ସମ୍ଭବ ହେଲାନାହିଁ।
Powered by Froala Editor