ଭୁଶୁଡିଲା ପୋଖରୀ ଆଡିବନ୍ଧ, ୭ ମୃତ
ଜୟପୁର: ରାଜସ୍ଥାନ ଭରତପୁର ଜିଲ୍ଲାର ବଏନା ଅଞ୍ଚଳରେ ବଡ ଅଘଟଣ ଘଟିଛି । ପୋଖରୀର ଆଡିବନ୍ଧ ଭାଙ୍ଗିଯିବାରୁ ୭ଜଣ ଯୁବକ ଭାସିଯାଇ ପ୍ରାଣ ହରାଇଛନ୍ତି । ନାଗଲାହଟ୍ଟା ଗ୍ରାମ ନିକଟରେ ପ୍ରବାହିତ ବାଣଗଙ୍ଗା ନଦୀ ସଲଗ୍ନ ଏକ ଜଳଶୟ ନିକଟରେ ଏମାନେ ଥିବା ବେଳେ ନଦୀ ଜଳପ୍ରବାହ ବଢିବା କାରଣରୁ ହଠାତ ପୋଖରୀର ଆଡିବନ୍ଧ ଭୁଶୁଡି ପଡିଥିଲା । ଏଥିରେ ୭ଜଣ ଯୁବକ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ସୂଚନା ପାଇଁ ଗ୍ରାମବାସୀ ଓ ସ୍ଥାନୀୟ ପୋଲିସ ଅପରେସନ ଆରମ୍ଭ କରିଥିଲା । ସମସ୍ତ ୭ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ସୂଚନାନୁସାରେ, ରବିବାର ଗାଁର କିଛି ଯୁବକ ନାଗଲାହଟ୍ଟା ଗ୍ରାମ ନିକଟରେ ବାଣଗଙ୍ଗା ନଦୀ କୂଳରେ ଥିବା ଏକ ପୋଖରୀ କୂଳରେ ବସିଥିଲେ । ଏହି ସମୟରେ ପୋଖରୀର ଆଡିବନ୍ଧର କିଛି ଅଂଶ ନଦୀଜଳ ପ୍ରବାହରେ ଦବି ଯାଇ ଭୁଶୁଡି ପଡିଥିଲା । ନଦୀ ପ୍ରଖର ସ୍ରୋତରେ ଏହି ଯୁବକମାନେ ଭାସି ଯାଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ଖବର ଦେଇଥିଲେ । ପୋଲିସ୍ ଓ ଅଗ୍ନିଶମ ଟିମ୍ କିଛି ଘଣ୍ଟାର ଅପରେସନ ପରେ ଗୋଟିଏ ପରେ ଗୋଟିଏ ସମସ୍ତ ୭ ମୃତଦେହ ଉଦ୍ଧାର କରିଛି । ସମସ୍ତେ ଗୋଟିଏ ଗ୍ରାମର ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଆଉଟପୋଷ୍ଟର ହେଡ କନଷ୍ଟେବଳ ଧରମବୀର ସିଂଙ୍କ ସୂଚନା ଅନୁସାରେ, ମୃତକମାନେ ସ୍ଥାନୀୟ ଗ୍ରାମର ପବନ (୧୫), ସୌରଭ ସିଂ (୧୬), ଭୂପେନ୍ଦ୍ର (୧୮), ଶାନ୍ତାନୁ (୧୮), ଲାଖୀ (୨୦), ଗୌରବ (୧୬) ଏବଂ ପବନ (୨୨) ଭାବେ ଚିହ୍ନଟ ହୋଇଛନ୍ତି । ସମସ୍ତ ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ସରିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ଅନ୍ୟପଟେ ଗ୍ରାମର ୭ ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor