ସୁଶୀଲଙ୍କ ସହ ଫଟୋ ଉଠାଇବାକୁ ନିୟମ ଭୁଲିଗଲେ ପୁଲିସ କର୍ମଚାରୀ
କୁସ୍ତି ସାଗର ଧନଖଡ଼ ହତ୍ୟା ଅଭିଯୋଗରେ ଗିରଫ ଅଲିମ୍ପିକ୍ସ ମେଡାଲିଷ୍ଟ ସୁଶୀଲ କୁମାରଙ୍କ ପ୍ରତି ପୁଲିସ୍ କର୍ମଚାରୀଙ୍କୁ ଦୁର୍ବଳତାକୁ ସାଧାରଣରେ ନିନ୍ଦା କରାଯାଇଛି । ସୁଶୀଲ କୁମାରଙ୍କୁ ଆଜି ତିହାର ଜେଲକୁ ନିଆଯାଇଥିଲା। ଜେଲ ଯିବା ପୂର୍ବରୁ କିଛି ପୁଲିସ କର୍ମଚାରୀ ପହଲୱାନ୍ ସୁଶୀଲ କୁମାରଙ୍କ ସହ ସେଲଫି ନେଇଥିଲେ। ତାଙ୍କ ସହ ଫଟୋ ପୋଜ ଦେବାକୁ ସବୁ ନିୟମକୁ ଜଳାଞ୍ଜଳୀ ଦେଇଥିଲେ।
ଏହି ସମୟରେ ସୁଶୀଲ କମଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ସୁଶୀଲଙ୍କ ସହ ପ୍ରାୟ ଅଧ ଡଜନ ପୋଲିସ ଉପସ୍ଥିତ ଥିଲେ। ଏହି ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ କେତେକ ହାତରେ ଅସ୍ତ୍ରଶସ୍ତ୍ର ଧରି ସିଭିଲ୍ ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ସୁଶୀଲ କୁମାର ମଧ୍ୟ ପୁଲିସ୍ କର୍ମଚାରୀଙ୍କ ସହ ହସ ଖୁସିରେ ଫଟୋ ଉଠାଇବା ବେଳେ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁଶୀଲ କିମ୍ବା ଅନ୍ୟ କୌଣସି ପୁଲିସ କର୍ମଚାରୀଙ୍କ ମୁହଁରେ ମାସ୍କ ନାହିଁ। କରୋନା ସଂକ୍ରମଣ ଭିତରେ ପୁଲିସ୍ର ଏପରି ବେପରୁଆ ଆଚରଣ ସମସ୍ତଙ୍କୁ ଚକିତ କରିଛି। ଏହି ଫଟୋ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସକୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି।
ସୂଚନାଯୋଗ୍ୟ, ସୁଶୀଲ କୁମାର ଏକମାତ୍ର ଭାରତୀୟ ରେସଲର ଯିଏ ଅଲିମ୍ପିକ୍ସରେ ଦୁଇଥର ମେଡାଲ ଜିତିଛନ୍ତି। ତେବେ ରେସଲର ସାଗରଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ଦିଲ୍ଲୀ ପୁଲିସ୍ ମେ' ୨୩ରେ ଗିରଫ କରିଥିଲା। ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବା ପାଇଁ ମାରପିଟ ହୋଇଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ଭୂମିକା ଥିବାବେଳେ ଦିଲ୍ଲୀ ଏନସିଆର ବ୍ୟତୀତ ପଡ଼ୋଶୀ ରାଜ୍ୟରେ ସୁଶୀଲ କୁମାରଙ୍କ ସନ୍ଧାନ ଚଳାଇଥିଲା। ସୁଶୀଲଙ୍କ ବ୍ୟତୀତ ୯ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। କାରଣ ସୁଶୀଲ ଓ ତାଙ୍କ ସହଯୋଗୀମାନେ ସାଗରଙ୍କୁ ପିଟିପିଟି ହତ୍ୟା କରିଥିବା ପୁଲିସ୍ କହିଛି। ମେ' ୨୩ରୁ ଗିତରଫ ହେବା ପରେ ସୁଶୀଲ ପୁଲିସ୍ ହେପାଜତରେ ଅଛନ୍ତି।
Powered by Froala Editor